କେଦାରନାଥ ମହାପ୍ରଳୟକୁ ଛଅ ବର୍ଷ, ଏଯାଏ ବି ମିଳିନି ଅନେକ ମୃତକଙ୍କ ଖବର

ନୂଆଦିଲ୍ଲୀ: ଛଅ ବର୍ଷ ତଳେ ଅର୍ଥାତ ୨୦୧୩ ରେ ଦେବସ୍ଥଳ କେଦାରନାଥ ଘାଟିରେ ଘଟିଥିବା ଭୟଙ୍କର ପ୍ରଳୟର କ୍ଷତ ଆଜି ଯାଏଁ ଲୋକଙ୍କ ମନରୁ ଯାଇନାହିଁ। ଏହି ପ୍ରଳୟରେ ଗୋଟିଏ କି ଦୁଇଟି ନୁହଁ ହଜିଗଲା ୩୧୮୭ ଲୋକଙ୍କ ପରିଚୟ। କିଏ ବଞ୍ଚିଛି କି ମରିଛି ତାର କୌଣସି ଠିକଣା ହିଁ ମିଳୁନି। ୫ ବର୍ଷ ଧରି ଚାଲିଥିବା ସର୍ଚ୍ଚ ଅପରେସନରେ ଏବେ ପର୍ଯ୍ୟନ୍ତ ୬୯୯ ଟି ନରକଙ୍କାଳ ମିଳିଛି। ଯେଉଁଥିରେ ୩୩ ଜଣଙ୍କ ଡିଏନଏରୁ ପରିଚୟ ମିଳିପାରିଛି। ଏହି ଭୟଙ୍କର ବାତ୍ୟାରେ ନିଜ ଜ୍ଞାତିକୁଟୁମ୍ବକୁ ହରାଇଥିବା ପରିବାର ସଦସ୍ୟଙ୍କ ମନରୁ ଏବେ ବି ଏହାର କ୍ଷତ ଶୁଖିନି।

କିଛି ଲୋକଙ୍କୁ ନିଜ ପରିବାର ସଦସ୍ୟଙ୍କ ଅନ୍ତ୍ୱେଷ୍ଟିକ୍ରିୟା କରିବାର ସୁଯୋଗ ବି ପ୍ରାପ୍ତ ହେଲାନାହିଁ। ୧୬ ଜୁନ୍‌ ୨୦୧୩ରେ ସେ କାଳରାତିରେ କେଦାରନାଥ,ଗୌରିକୁଣ୍ଡ ସମେତ ଅନେକ ତୀର୍ଥସ୍ଥଳରେ ଆଶ୍ରୟ ନେଇଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଜୀବନ ଗଛରୁ ଶୁଖିଲା ପତ୍ର ଝଡିଲା ପରି ଅକାଳରେ ଝଡି ପଡୁଥିଲା। ଦୁଇଦିନ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ଉଦ୍ଧାରକାରୀ ଦଳ ପହଂଚିବାରେ ଅସଫଳ ରହିଥିଲେ। ଉଦ୍ଧାର କାର୍ଯ୍ୟ ସୁଚାରୁରୂପେ ହେବା ପରେ ଆରମ୍ଭ ହେଲା ମୃତ୍ୟୁମୁହଁରୁ ଶ୍ରଦ୍ଧାଳୁଙ୍କ ଶବକୁ ଚିହ୍ନଟ କରିବା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଦେଶରେ ୩୮୮୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା। ଯେଉଁଥିରେ ୬୯୯ ଲୋକଙ୍କର ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ନରକଙ୍କାଳ ମିଳିଥିଲା। ୨୦୧୩ରେ ୫୪୫ଶବ ମିଳିବା ପରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୬୯୯ ନରକଙ୍କାଳ ମିଳିଥିଲା। ମୁରାଦାବାଦ୍‌ର ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏହି ବିପର୍ଯ୍ୟୟ ଶିକାର ହୋଇଥିଲେ। ଆଖି ସାମ୍ନାରେ ବହି ଯାଇଥିଲା ୯ଟି ଜୀବନ। ଏହି ୯ ଜଣଙ୍କ ମଧ୍ୟରୁ ଏଯାଏଁ କାହାର କିଛି ଖବର ମିଳିଲାନାହିଁ।

ସମ୍ବନ୍ଧିତ ଖବର