ରୋଡ୍ ସୋ’ରେ ଭିଡ଼ ହେଲା ବାଧକ: ଆଜି ନାମାଙ୍କନପତ୍ର ଦାଖଲ କରିପାରିଲେନି କେଜ୍ରିୱାଲ

ନୂଆଦିଲ୍ଲୀ:  ଆସନ୍ତାକାଲି ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ହୋଇଥିବାରୁ ଆଜି ଅଧିକାଂଶ ନେତା ନାମାଙ୍କନପତ୍ର ଦାଖଲ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ନାମାଙ୍କନପତ୍ର ଦାଖଲ କରିବାକୁ ଯାଇଥିଲେ ମଧ୍ୟ ନାମାଙ୍କନପତ୍ର ଦାଖଲ କରିପାରିନାହାନ୍ତି । ବିଶାଳ ଶୋଭାଯାତ୍ରା ଓ ଶହ ଶହ ସମର୍ଥକଙ୍କ ଗହଣରେ ନାମାଙ୍କନପତ୍ର ଦାଖଲ କରିବାକୁ ବାହାରିଥିଲେ କେଜ୍ରିୱାଲ । କିନ୍ତୁ ଭିଡ ମଧ୍ୟରେ ଠିକ୍ ସମୟରେ ପହଞ୍ଚିପାରି ନ ଥିଲେ । ତେବେ ଏ ନେଇ କେଜ୍ରିୱାଲ କହିଛନ୍ତି, ଦିନ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବାର ସମୟସୀମା ଥିଲା । ଏତେ ଲୋକଙ୍କୁ ରୋଡ ସୋ’ ଅଧାରୁ ଛାଡି ଯାଇପାରି ନଥିଲି ତେଣୁ ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବି ।

ରୋଡ଼ ସୋ ପୂର୍ବରୁ କେଜ୍ରିୱାଲ ବାଲ୍ମୀକି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନିଜ ମାଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ | କେଜ୍ରିୱାଲଙ୍କ ରୋଡ଼ ସୋ ବାଲ୍ମୀକି ମନ୍ଦିର ରୋଡ଼ରୁ ଆରମ୍ଭ ହୋଇ ପଞ୍ଚକୁଆଇ ରୋଡ଼, ପାଳିକା ବଜାର ଓ ହନୁମାନ ମନ୍ଦିର ରୋଡ଼ ଦେଇ ପଟେଲ ଛକ ମେଟ୍ରୋ ଷ୍ଟେସନ ଠାରେ ସରିଥିଲା | ହଜାର ହଜାର ସଂଖ୍ୟାରେ ସମର୍ଥକ ରୋଡ ସୋ’ରେ ସାମିଲ ହୋଇଥିଲେ । ଏପରିକି କେଜ୍ରିୱାଲଙ୍କ ପୂରା ପରିବାର ମଧ୍ୟ ତାଙ୍କ ସାଥୀରେ ରହିଥିଲେ । ଅଚ୍ଛେ ବିତେ ପାଞ୍ଚ ସାଲ, ଲଗେ ରହୋ କେଜ୍ରିୱାଲ ନାରାରେ କମ୍ପିଥିଲା ଦିଲ୍ଲୀ ରାଜରାସ୍ତା ।

ରୋଡ ସୋ’ରେ ଭିଡ ଏତେ ବଢି ଯାଇଥିଲା ଯେ, ଜାମନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିପାରି ନଥିଲେ କେଜ୍ରିୱାଲ । ଆଉ ନିର୍ଦ୍ଧାରିତ ସମୟ ମଧ୍ୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନ ପାରିବାରୁ ନାମାଙ୍କନପତ୍ର ଦାଖଲ କରିପାରିନଥିଲେ କେଜ୍ରିୱାଲ । ନୂଆଦିଲ୍ଲୀ ଆସନରୁ କେଜ୍ରିୱାଲ ଲଢିବାକୁ ଥିବା ବେଳେ ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବେ ।

ସମ୍ବନ୍ଧିତ ଖବର