ଦିଲ୍ଲୀ ପ୍ରଦୂଷଣ ରୋକିବାକୁ କେଜ୍ରିଓ୍ଵାଲ-ଖଟ୍ଟରଙ୍କ ମିଳିତ ଯୋଜନା

ଅମରିନ୍ଦର ଦୂରେଇ ଗଲେ

ନୂଆଦିଲ୍ଲୀ: ଦିଲ୍ଲୀର ଭୟଙ୍କର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ମଧ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଉଭୟ ରାଜ୍ୟ ସରକାର ଏ ବାବଦରେ ମିଳିତ ଯୋଜନା କାର୍ଯ୍ୟକାରୀ କରିବାକୁ ସହମତି ପ୍ରକାଶ କରିଛନ୍ତି। ବୈଠକ ପରେ ଖଟ୍ଟର ଏବଂ କେଜ୍ରିଓ୍ଵାଲ ମିଳିତ ବିବୃତିରେ କହିଛନ୍ତି ଯେ ପ୍ରଦୂଷଣ ରୋକିବାକୁ ଉଭୟ ରାଜ୍ୟ କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ରାଜ୍ୟର ସୀମା ଅଲଗା ହୋଇଥିଲେ ମଧ୍ୟ ବାୟୁ ପ୍ରବାହ ଉପରେ କାହାର ନିୟନ୍ତ୍ରଣ ନାହିଁ। ପ୍ରଦୂଷଣ ରୋକିବାକୁ ସେ ଦିଲ୍ଲୀ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ତେବେ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ବୈଠକରେ ସାମିଲ ହୋଇନଥିଲେ। ଚଣ୍ଡିଗଡ଼ ବୈଠକରେ ସାମିଲ ହେବାକୁ ଅମରିନ୍ଦରଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେ ଏଥିରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରିଥିଲେ। କେଜ୍ରିଓ୍ଵାଲଙ୍କ ସହିତ ଦିଲ୍ଲୀର ପରିବେଶ ମନ୍ତ୍ରୀ ଏବଂ ପରିବେଶ ସଚିବ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଖେତରେ ନିଆଁ ଲଗାଇବା ମାମଲାରେ ପଂଜାବକୁ କେଜ୍ରିଓ୍ଵାଲ ଦାୟୀ କରିଥିବାରୁ ଏଥିରେ ଅମରିନ୍ଦର କ୍ଷୁବ୍ଧ ହୋଇଛନ୍ତି। କେଜ୍ରିଓ୍ଵାଲ ପ୍ରଦୂଷଣ ମାମଲାକୁ ରାଜନୈତିକ ରଙ୍ଗ ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର