କେରଳ ବନ୍ୟା: ଶ୍ମଶାନରେ ଅଛନ୍ତି ୨୦ ପରିବାର

0 139

ଅଲାପୁଜା: କେରଳରେ ବର୍ଷା ଓ ବନ୍ୟା ବିଭୀଷିକା ଯୋଗୁ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ରିଲିଫ ଶିବିରରେ ରଖାଯାଇଛି। କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଅତ୍ୟନ୍ତ ଦୟନୀୟ ଭାବେ ଜୀବନ କାଟୁଛନ୍ତି। ଏକ ଶ୍ମଶାନକୁ ସେମାନେ ଆଶ୍ରୟସ୍ଥଳ ଭାବେ ବାଛିଛନ୍ତି। ଉଦ୍ଧାର କାର୍ଯ୍ୟ ପରେ ଲୋକମାନେ ରିଲିଫ ଶିବିର ଖାଲି କରି ନିଜ ଭିଟାମାଟିକୁ ଫେରୁଥିବା ବେଳେ ପ୍ରାୟ ୨୦ ପରିବାର ଏବେ ବି ଶ୍ମଶାନରେ ରହି ଦିନ କାଟୁଛନ୍ତି।
କେରଳରେ ବନ୍ୟାର କରାଳ ରୂପ ବଢ଼ିବା ଯୋଗୁ ଲୋକମାନେ ସୁରକ୍ଷିତ ସ୍ଥାନ ବାଛିବା ଆରମ୍ଭ କରିଥିଲେ। ଅଲାପୁଜା ଜିଲ୍ଲାର କ୍ୟାନାକାରୀ ଗାଁର ଲୋକମାନେ ମଧ୍ୟ ଏଥିପାଇଁ ଚେଷ୍ଟା ଚଳାଇଥିଲେ। କିନ୍ତୁ ସେମାନେ ନିଜ ଗାଁ ଏବଂ ଛେଳି ଓ ଗାଈଗୋରୁଙ୍କୁ ଛାଡ଼ିବାକୁ ରାଜି ହୋଇନଥିଲେ। ତେଣୁ ରିଲିଫ ଶିବିର ପରିବର୍ତ୍ତେ ଗାଁଠାରୁ ଅନତି ଦୂର ସେଣ୍ଟ ମେରୀ ଗିର୍ଜାଘରସ୍ଥିତ ଶ୍ମଶାନକୁ ଆଶ୍ରୟସ୍ଥଳୀ ବାଛିଥିଲେ। ସେଠାରେ ପାଖାପାଖି ୨୦ ପରିବାର ଏବେ ବି ରହୁଛନ୍ତି। ବନ୍ୟା ପାଣି ଏବେ ଛାଡ଼ିଯାଇଥିବାରୁ ସେମାନେ ଘର ସଜାଡ଼ିବା କାମ ଆରମ୍ଭ କରିଦେଇଛନ୍ତି। କିନ୍ତୁ ଏଥିପାଇଁ ଅଧିକ ସମୟ ଲାଗିବାକୁ ଥିବାରୁ ସେମାନେ ମରାମତି କାମ ସାରି ପୁଣି ଶ୍ମଶାନକୁ ଫେରିଆସୁଛନ୍ତି। ଶ୍ମଶାନଟି ଏବେ ସେମାନଙ୍କୁ ନିଜର ଘର ଭଳି ଲାଗୁଛି। ଏ ନେଇ ମଣି ନାମକ ଜଣେ ବ୍ୟକ୍ତି କୁହନ୍ତି, ଶ୍ମଶାନରେ ରହିବାକୁ ସେମାନେ ଆଦୌ ଭୟ କରୁନାହାନ୍ତି। କାରଣ ଏଠାରେ ସେମାନଙ୍କ ପୂର୍ବଜଙ୍କୁ କବର ଦିଆଯାଇଛି। ସେମାନେ ଏଠାରେ ନିରାପଦରେ ରହୁଛନ୍ତି।
ଆଉ ଜଣେ ମହିଳା କୁହନ୍ତି, ଶ୍ମଶାନରେ ତାଙ୍କ ପିତା, ବଡ଼ ଭଉଣୀ ଏବଂ ଅନ୍ୟ କେତେଜଣ ସଂପର୍କୀୟଙ୍କୁ କବର ଦିଆଯାଇଛି। ତେଣୁ ସେମାନଙ୍କ ଉପସ୍ଥିତି ଏଠାରେ ଅନୁଭବ କରୁଛି। ଶ୍ମଶାନରେ ତିଳେମାତ୍ର ଭୟ ଲାଗୁନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.