ପାଠ୍ୟ ପୁସ୍ତକରେ ଭୁଲ୍‌ ସୂଚନା: ବିବାହ ପୂର୍ବରୁ କିମ୍ବା ପରକୀୟା ପ୍ରୀତିଜନିତ ଯୌନ ସଂପର୍କରୁ ଏଡ୍‌ସ ବ୍ୟାପିଥାଏ

ତିରୁବନନ୍ତପୁରମ୍‌: କେରଳର ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟ ପୁସ୍ତକରେ ଭୁଲ୍‌ ସୂଚନା ଦିଆଯାଇଥିବା ନଜର ଆସିଛି। ପିଲାଙ୍କ ପାଠ୍ୟ ପୁସ୍ତକରେ ଉଲ୍ଳେଖ କରାଯାଇଛି ଯେ ବିବାହ ପୂର୍ବରୁ କିମ୍ବା ପରକୀୟା ପ୍ରୀତି ଜନିତ ଯୌନ ସଂପର୍କ ସ୍ଥାପନ କରିବା ଦ୍ୱାରା ଏଡ୍‌ସ ବ୍ୟାପିଥାଏ, ଯାହାକି ଏକ ଭୁଲ୍‌ ତଥ୍ୟ। ଦଶମ ଶ୍ରେଣୀ ପିଲାଙ୍କ ଶରୀର ବିଜ୍ଞାନ ପୁସ୍ତକରେ ଏପରି ଉଲ୍ଲେଖ କରାଯାଇଛି। ଶରୀର ବିଜ୍ଞାନ ପୁସ୍ତକର ୬୦ ନଂ ପୃଷ୍ଠାରେ ଏପରି ସୂଚନା ଦିଆଯାଇଛି। ପୁସ୍ତକକୁ ପ୍ରକାଶ କରିଛି ଷ୍ଟେଟ୍‌ କାଉନ୍‌ସିଲ୍‌ ଅଫ୍‌ ଏଜୁକେସନ୍‌ ରିସର୍ଚ ଆଣ୍ଡ୍‌ ଟ୍ରେନିଂ(ଏସ୍‌ସିଇଆର୍‌ଟି)।

ପୁସ୍ତକର ୬୦ ପୃଷ୍ଠାରେ ଗ୍ରାଫିକ୍‌ କରାଯାଇ ଏଚ୍‌ଆଇଭି କେଉଁ କେଉଁ ଉପାୟରେ ହୋଇଥାଏ ବୋଲି ଉଲ୍ଲେଖ କରାଯାଇଛି। ସେଥିରେ ଏଚ୍‌ଆଇଭି ବ୍ୟାପିବାର ଅନ୍ୟତମ କାରଣ ଭାବେ ବିବାହ ପୂର୍ବ ଓ ପରକୀୟା ପ୍ରୀତି ଜନିତ ଯୌନ ସଂପର୍କକୁ ଉଲ୍ଲେଖ କରାଯାଇଛି।

ଏହି ଭୁଲ୍‌କୁ ଜଣେ ଶିକ୍ଷକ ସୋସିଆଲ୍‌ ମିଡିଆରେ ଫଟୋ ଉଠାଇ ପୋଷ୍ଟ୍‍ କରିବା ଦ୍ୱାରା ଏହା ଏବେ ସାମ୍ନାକୁ ଆସିଛି। ଏହାକୁ ଏବେ ପରବର୍ତ୍ତୀ ମୁହୂର୍ତ୍ତରେ ବହୁ ଡାକ୍ତରଙ୍କ ସମେତ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ସେୟାର୍‌ କରିଛନ୍ତି।

ଏହି ଭୁଲ୍‌କୁ ଠିକ୍‌ କରାଯାଇ ଆଗାମୀ ସଂସ୍କରଣରେ ପରିବର୍ତ୍ତିତ ଲେଖା ଆସିବ ବୋଲି ଷ୍ଟେଟ୍‌ କାଉନ୍‌ସିଲ୍‌ ଅଫ୍‌ ଏଜୁକେସନ୍‌ ରିସର୍ଚ ଆଣ୍ଡ୍‌ ଟ୍ରେନିଂର ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଏହି ପୁସ୍ତକଟି ୨୦୧୫-୧୬ ଶିକ୍ଷା ବର୍ଷରେ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର