ଦେବଭୂଇଁରେ ଶୁଭୁଛି ରକ୍ଷାକର… ରକ୍ଷାକର ଆର୍ତ୍ତନାଦ; ହେଲେ କିଏ ରକ୍ଷା କରିବ କାହାକୁ… ଦେଖନ୍ତୁ ଭିଡିଓ

ଥିରୁବନ୍ତପୁରମ୍‌ (କେରଳ): କେରଳରେ ସୃଷ୍ଟି ହୋଇଥିବା ଅଦ୍ଭୁତପୂର୍ବ ଓ ଅଶ୍ରୁତପୂର୍ବ ବନ୍ୟା ବିଭୀଷିକା ସମଗ୍ର ଦେଶବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। କେରଳ ବନ୍ୟା ବିଭୀଷିକାରେ ଆଜି ସୁଦ୍ଧା ୮୭ ଜଣ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଏବେବି ବନ୍ୟା ଘେରରେ ଫସି ରହି ସାହାଯ୍ୟ ପାଇଁ ଆକୁଳ ଚିତ୍କାର କରୁଛନ୍ତି। ଦେବତାଙ୍କ ଭୂମି (ଗଡସ୍‌ ଲ୍ୟାଣ୍ଡ) ରୂପେ ପରିଚିତ କେରଳକୁ ସଂପୂର୍ଣ୍ଣ ରୂପେ ଛାରଖାର ଓ ଖିନ୍‌ଭିନ୍‌ କରି ଦେଇଛି ଚଳିତ ବର୍ଷର ବନ୍ୟା। ପୂର୍ବରୁ କେବେବି ବନ୍ୟାର ଏପ୍ରକାର କରାଳ ରୂପକୁ ଦେଖି ନଥିଲା କେରଳ।

କେରଳର ରାସ୍ତାସବୁ ଏବେ ପରିବର୍ତ୍ତିତ ହୋଇଯାଇଛି ନଦୀରେ। ପରିବାର ସବୁ ଜଳବନ୍ଦୀ ହୋଇ ରହି ଯାଇଛନ୍ତି ସେମାନଙ୍କ ଘର ମଧ୍ୟରେ, ଛାତ୍ରମାନେ ବନ୍ଦୀ ହୋଇ ରହି ଯାଇଛନ୍ତି ହଷ୍ଟେଲ ମଧ୍ୟରେ, ଆଉ ଚର୍ଚ୍ଚକୁ ପ୍ରାର୍ଥନା କରିବାକୁ ଯାଇଥିବା ଲୋକେ ବନ୍ଦୀ ହୋଇ ରହିଛନ୍ତି ଚର୍ଚ୍ଚ ମଧ୍ୟରେ। ପର୍ଯ୍ୟଟକମାନେ ବନ୍ଦୀ ହୋଇ ରହି ଯାଇଛନ୍ତି ହେଟେଲ ଓ ବସ୍‌ ମଧ୍ୟରେ। ସମସ୍ତେ ଉର୍ଦ୍ଧ୍ୱବାହୁ ହୋଇ ଚିତ୍କାର କରୁଛନ୍ତି ରକ୍ଷାକାର… ରକ୍ଷାକର; ହେଲେ କିଏ ବା ରକ୍ଷା କରିବ କାହାକୁ।


ସ୍ୱଚକ୍ଷୁରେ ନଦେଖିଲେ କୌଣସି ପ୍ରକାର ଭାଷାରେ ବି ବର୍ଣ୍ଣନା କରି ହେବ ନାହିଁ କେରଳ ବନ୍ୟା ଦୁର୍ଗତଙ୍କ ଦୁର୍ଦ୍ଦଶାର କଥା। ଏହି ପରିପ୍ରେକ୍ଷୀରେ କିଛି ବନ୍ୟା ଦୁର୍ଗତ ସେମାନଙ୍କ ଦୟନୀୟ ଅବସ୍ଥାର ଯେଉଁ ସବୁ ଭିଡିଓ ଚିତ୍ର ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡ଼ିଛନ୍ତି, ସେସବୁ ଏବେ ଭାଇରାଲ ହେବାରେ ଲାଗିଛି।


ଜଣେ ବନ୍ୟା ଦୁର୍ଗତ ତାଙ୍କ ଘରର ଭିଡିଓ ସେୟାର କରି ସାହାଯ୍ୟ ମାଗିଛନ୍ତି। ତାଙ୍କ ଦୁଇ ମହଲା ଘରର ପ୍ରଥମ ମହଲା ବୁଡ଼ି ଏବେ ପାଣି ଆସି ଦ୍ୱିତୀୟ ମହଲାରେ ପହଞ୍ଚିଲାଣି। ତାଙ୍କ ପରିବାରର ସମସ୍ତ ସଦସ୍ୟ ଏବେ ସେଇ ଘର ଭିତରେ ଜପବନ୍ଦୀ ଅବସ୍ଥାରେ ରହିଛନ୍ତି। ଏହିପରି ଅବସ୍ଥାରେ ଏକ ସପ୍ତାହରୁ ଅଧିକ କାଳ ବିିତି ଗଲାଣି ହେଲେ ତାଙ୍କ ପାଖରେ ପହଞ୍ଚିପାରି ନାହିଁ କୌଣସି ପ୍ରକାରର ସାହାଯ୍ୟର ହାତ।


ସେହିପରି ଅନେକ ପର୍ଯ୍ୟଟକ ମଧ୍ୟ ବନ୍ୟା ପ୍ଲାବିତ କେରଳର ବିଭିନ୍ନ ସ୍ଥାନରେ ଅଟକ ରହି ବିନା ପାଣି ଓ ଜବିନା ଖାଦ୍ୟରେ ଜୀବନ ବଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି।

ସମ୍ବନ୍ଧିତ ଖବର