ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ବିଧାନସଭାରେ ‘ସିଏଏ’ ବିରୋଧରେ ପାରାଏ ପଢ଼ିଲେ କେରଳ ରାଜ୍ୟପାଳ

ତିରୁବନନ୍ତପୁରମ: ରାଜ୍ୟ ବିଧାନସଭାରେ ବୁଧବାର ଦିନ କେରଳର ରାଜ୍ୟପାଳ ଅରିଫ୍‌ ମହମ୍ମଦ୍‌ ଖାଁ ସଂଶୋଧିତ ନାଗରିକତା ଆଇନ୍‌କୁ ସମାଲୋଚନା କରି ଲେଖାଯାଇଥିବା ଗୋଟାଏ ପାରା ପଢ଼ିଛନ୍ତି।

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା କେରଳ ସରକାରଙ୍କୁ ପୂର୍ବରୁ ରାଜ୍ୟପାଳ ଖାଁ ସମାଲୋଚନା କରିଥିଲେ। କିନ୍ତୁ ଆଜି ରାଜ୍ୟପାଳ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସେ ଆଜି ଏହି ପାରାଟି ପଢ଼ିଛନ୍ତି।

ନିକଟରେ ‘ସିଏଏ’ ବିରୋଧରେ କେରଳ ସରକାର ବିଧାନସଭାରେ ପ୍ରସ୍ତାବନା ଆଗତ କରିବା ସହ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କରିଛନ୍ତି।

 

Image Source: Latestly

ସେ କହିଛନ୍ତି: ମାନ୍ୟବର ମୁଖ୍ୟମନ୍ତ୍ରୀ ଚାହୁଁ ଥିବାରୁ ମୁଁ ଏହି ପାରାଟି ପଢ଼ିବାକୁ ଯାଉଛି। କିନ୍ତୁ ମୋ ମତରେ ଏହି ପ୍ରସଙ୍ଗ କୌଣସି ଯୋଜନା କିଂବା କାର୍ଯ୍ୟକ୍ରମର ସଂଜ୍ଞା ନୁହେଁ।

କେରଳ ବିଧାନସଭାରେ ‘ସିଏଏ ବିରୋଧୀ’ ପ୍ରସ୍ତାବନା ପାରିତ ହେବା ଏବଂ ସୁପ୍ରିମ୍‌ କୋର୍ଟରେ ମାମଲା ଦାଏର ପ୍ରସଙ୍ଗରେ ଏହି ପାରାରେ ଉଲ୍ଲେଖ ରହିଛି। ଏଥିରେ ଉଲ୍ଲେଖ ଅଛି ଯେ ନାଗରିକତା ଧର୍ମଆଧାରିତ ହୋଇ ପାରିବ ନାହିଁ। କାରଣ ଆମ ସମ୍ବିଧାନର ମୌଳିକ ଢାଞ୍ଚା ‘ଧର୍ମନିରପେକ୍ଷତା’କୁ ଏହା ବିରୋଧ କରୁଛି।

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ବିଧାୟକମାନେ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାଁଙ୍କ ବିଧାନସଭା ପରିଦର୍ଶନକୁ ବିରୋଧ କରିଥିଲେ। ସେମାନେ ରାଜ୍ୟପାଳଙ୍କ ଅଭିଭାଷଣକୁ ଅବରୋଧ କରିବାକୁ ଉଦ୍ୟମ କରିବା ପରେ ତାହାକୁ ବର୍ଜନ କରିଥିଲେ।

ସମ୍ବନ୍ଧିତ ଖବର