ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତର ୧ ନମ୍ବର ରାଜ୍ୟ କେରଳ; ଖରାପ ରାଜ୍ୟ ତାଲିକାରେ ବିହାର, ଓଡ଼ିଶା ଏବଂ ଉତ୍ତର ପ୍ରଦେଶ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ନୀତି ଆୟୋଗ ପ୍ରକାଶ କରିଥିବା ହେଲ୍‌ଥ୍‌ ଇଣ୍ଡେକ୍ସ ଅନୁଯାୟୀ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭାରତୀୟ ରାଜ୍ୟଗୁଡ଼ିକର ଶୀର୍ଷରେ ରହିଛି କେରଳ। ତା’ପଛକୁ ରହିଛି ଆନ୍ଧ୍ର ପ୍ରଦେଶ ଏବଂ ମହାରାଷ୍ଟ୍ର। ସବୁଠୁ ଖରାପ ସ୍ୱାସ୍ଥ୍ୟସେବା ରାଜ୍ୟ ତାଲିକାରେ ରହିଛି ଉତ୍ତର ପ୍ରଦେଶ, ଓଡ଼ିଶା ଏବଂ ବିହାର। ପୂର୍ବ ବର୍ଷ ତୁଳନାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି କରିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ହରିୟାଣା, ରାଜସ୍ଥାନ ଓ ଝାଡ଼ଖଣ୍ଡ।

୨୦୧୫-୧୬ ଏବଂ ୨୦୧୭-୧୮ ବର୍ଷର ୨୩ ଗୋଟି ସୂଚନାକୁ ଆଧାର କରି ପ୍ରସ୍ତୁତ କରାଯାଇଥିବା ଏହି ହେଲ୍‌ଥ୍‌ ଇଣ୍ଡେକ୍ସ୍‍ରୁ ଜଣାପଡୁଛି ଯେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ଫରକ ରହୁଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସହଯୋଗ ଏବଂ ବିଶ୍ୱ ବ୍ୟାଙ୍କ୍‌ର ବୈଷୟିକ ସହାୟତାରେ ନୀତି ଆୟୋଗ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ସ୍ୱାସ୍ଥ୍ୟ ସେବାର ତୁଳନାତ୍ମକ ବିଚାର ପାଇଁ ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ତିନିଟି ବର୍ଗଭୁକ୍ତ କରାଯାଇଛି ଯଥା:- ବୃହତ୍ତର ରାଜ୍ୟ, କ୍ଷୁଦ୍ରତର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ।

Image Source: The Hindu BusinessLine

କ୍ଷୁଦ୍ରତର ରାଜ୍ୟଗୁଡ଼ିକ ମଧ୍ୟରେ ମିଜୋରାମର ସ୍ୱାସ୍ଥ୍ୟସେବା ମୋଟାମୋଟି ଉନ୍ନତ ଥିବା ବେଳେ ତ୍ରିପୁରା ଏବଂ ମଣିପୁର ତୁଳନାତ୍ମକ ଭାବେ ବିଗତ ବର୍ଷଠାରୁ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିଛନ୍ତି। ସିକିମ ଏବଂ ଅରୁଣାଚଳ ପ୍ରଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅବନତି ଘଟିଛି। କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଚଣ୍ଡିଗଡ଼ର ସ୍ୱାସ୍ଥ୍ୟ ସେବା ଉନ୍ନତ ଥିବା ବେଳେ ଦାଦ୍ରା ଓ ନଗର ହାବେଳିରେ ସବୁଠୁ ଅଧିକ ଉନ୍ନତି ଘିଛି।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ୧୦ଟି ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରୁ ମୋଟାମୋଟି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି କରିଥିବା ରାଜ୍ୟଗୁଡ଼ିକ ହେଉଛି, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ ଏବଂ ତେଲେଙ୍ଗାନା।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସବୁଠୁ ପଛୁଆ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ବିହାର, ଓଡ଼ିଶା, ମଧ୍ୟ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ରାଜସ୍ଥାନ।
ବିହାର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟ ପ୍ରଦେଶ ଏବଂ ଓଡ଼ିଶାରେ ମଧ୍ୟ ଶିଶୁମୃତ୍ୟୁ ହାର ଅଧିକ ରହିଛି।

ସମ୍ବନ୍ଧିତ ଖବର