ସିଂହ ସହ କଥା ହେବା ପାଇଁ ଖୁଆଡ଼ ଭିତରକୁ ଡ଼େଇଁଲେ ଯୁବକ, ତା’ ପରେ କ’ଣ ହେଲା ଦେଖନ୍ତୁ ଭିଡ଼ିଓ…

ଥିରୁବନ୍ତଥପୁରମ : କେରଳର ଥିରୁବନ୍ତଥପୁରମରେ ଘଟିଛି ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା । ଯେଉଁ ପଶୁର ନାଁ ଶୁଣିଲେ ଲୋକମାନେ ଥରି ଉଠନ୍ତି, ତା ସହ କଥା ହେବା ପାଇଁ ଜଣେ ଯୁବକ ଏକ ଦୁଃସାହସିକ କାମ କରିଛନ୍ତି । ଏକ ଚିଡ଼ିଆଖାନାରେ ଗୋଟେ ସିଂହ ଖୁଆଡ଼ର ଚାରି ପାଖରେ ଲାଗିଥିବା ଲୁହା ବାଡ଼ ପାଖରେ ଠିଆ ହୋଇ ସିଂହକୁ ହାତ ହଲାଇବା ଡାକିବା ସହ ସିଂହଟି ନ ଶୁଣିବାରୁ ସିଂହର ଖୁଆଡ଼ ଭିତରକୁ ଯୁବକଜଣଙ୍କ ଡ଼େଇଁ ପଡ଼ିଥିଲେ । କିନ୍ତୁ ଚିଡ଼ିଆଖାନରେ ଥିବା ସୁରକ୍ଷାକର୍ମୀଙ୍କ ପ୍ରାୟସ ଯୋଗୁଁ ସେ ଖୁଆଡ଼ ଭିତରୁ ଜୀବନ୍ତ ଫେରିଥିବା ଜଣା ପଡ଼ିଛି । ଯୁବକଙ୍କ ନାମ ମୁରୁଗନ ବୋଲି ଜଣା ପଡ଼ିଛି ।

ସୂଚନା ମୁତାବକ ଏହି ଘଟଣାଟି ବୁଧବାର ଦିନ ୧୧.୪୫ରେ ଥିରୁବନ୍ତ୍‌ଥପୁରମରେ ଥିବା ଏକ ଚିଡ଼ିଆଖାନରେ ଘଟିଥିଲା । ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକମାନଙ୍କ କହିବା ଅନୁଯାୟୀ, ମୁରୁଗନ ପ୍ରଥମେ ସିଂହ ସହ କଥା ହେବା ପାଇଁ ଲୁହା ବାଡ଼ ବାହରେ ରହି ହାତ ହଲାଇଥିଲେ । ବାରମ୍ବାର ହାତ ହଲାଇବା ପରେ ମଧ୍ୟ ସିଂହଟି ଶୋଇଥିବାରୁ ମୁରୁଗନଙ୍କ ହାତ ହଲାର କୌଣସି ଜବାବ ଦେଇ ନଥିଲେ । ଏଥିରେ ବିରକ୍ତ ହୋଇ ମୁରୁଗନ ହଠାତ୍‌ କେହି କିଛି ଭାବିବା ପୂର୍ବରୁ ସିଂହର ଖୁଆଡ଼ ଭିତରକୁ ଡ଼େଇଁ ପଡ଼ିଥିଲେ । ଏହା ପରେ ସେ ଗୁରୁଣ୍ଡି ଗୁରୁଣ୍ଡି ସିଂହ ଥିବା ଗୁମ୍ପା ପାଖକୁ ଯାଇଥିଲେ । ଏହି ସମୟରେ ଚିଡ଼ିଆଖାନାର ଜଣେ ଚୌକିଦାର ତାଙ୍କୁ ଦେଖି ସୁରକ୍ଷାକର୍ମୀମାନଙ୍କୁ ଜଣାଇଥିଲେ । ସୂଚନା ପାଇବା ପରେ ସଙ୍ଗେ ସଙ୍ଗେ ୩-୪ଜଣ ସୁରକ୍ଷାକର୍ମୀ ଯାଇ ତାଙ୍କୁ ଗୁମ୍ଫା ଭିକରୁ ବାହାରକୁ ଆଣିଥିଲେ । ତାଙ୍କ ଗୋଡ଼ରେ ଅଘାତ ଲାଗିଥିବାରୁ ଡ଼ାକ୍ତରଖାନରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ମୁରୁଗନଙ୍କ ଜନ୍ମସ୍ଥାନ ପାଲକ୍କଡ଼ ବୋଲି ଜଣା ପଡ଼ିଥିବା ବେଳେ ପ୍ରାୟ ସପ୍ତାହ ହେବ ସେ ଘରୁ ନିଖୋଜ ଥିଲେ ବୋଲି ଖବରକାଗଜରେ ଛପା ଯାଇଥିବା ବିଜ୍ଞାପନରୁ ଜଣା ପଡ଼ିଛି । ଏ ଭଳି ଏକ ଘଟଣା ପୂର୍ବରୁ ଦିଲ୍ଲୀରେ ଘଟି ସାରିଛି । କିନ୍ତୁ ସେଥିରେ ଯୁବକ ଜଣଙ୍କ ଅଜାଣତରେ ଖସି ପଡ଼ିଥିବା ବେଳେ ତାଙ୍କୁ ବଞ୍ଚା ଯାଇ ପାରି ନଥିଲା ।

ସମ୍ବନ୍ଧିତ ଖବର