କୋଚି (କେରଳ): ଜନୈକ ବିଶପ୍ଙ୍କ ଦ୍ୱାରା ବର୍ଷାଧିକ କାଳ ଧରି ଦୁଷ୍କର୍ମ ଓ ଅପ୍ରାକୃତିକ ଯୌନକ୍ରିୟାର ଶିକାର ହୋଇଥିବା ଜନୈକା ନନ୍ ନ୍ୟାୟ ପାଇବା ପାଇଁ ଶେଷରେ ଭଟିକାନ୍ ସିଟିର ପୋପ୍ଙ୍କ ନିକଟକୁ ଏକ ପତ୍ର ଲେଖି ନିଜର କରୁଣ କାହାଣୀ ବର୍ଣ୍ଣନା କରିବା ସହ ନ୍ୟାୟ ମାଗିଛନ୍ତି।
ପୀଡ଼ିତା ନନ୍ ଜଣକ ଅଭିଯୋଗ କରି କହିଛନ୍ତି ଯେ ଜଳନ୍ଧରର ବିଶପ୍ ଫ୍ରାନ୍କୋ ମୁଲାକ୍କାଲ ତାଙ୍କୁ କେରଳର କୋଟାୟାମ୍ ଜିଲ୍ଲା ଅନ୍ତର୍ଗତ କୁରାଭିଲାନ୍ଗାଡ଼୍ରେ ଥିବା ସେଣ୍ଟ ଫ୍ରାନ୍ସିସ୍ ମିଶନ ହୋମ୍ର ଏକ ଅତିଥି ଗୃହ ମଧ୍ୟରେ ବନ୍ଦୀ କରି ରଖିବା ସହ ୨୦୧୪ରୁ ୨୦୧୬ ମଧ୍ୟରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ବଳପୂର୍ବକ ଭାବେ ତାଙ୍କ ସହ ଅପ୍ରାକୃତିକ ଯୌନ କ୍ରିୟା ଚଳାଇଥିଲେ ବୋଲି ଗତ ସେପ୍ଟେମ୍ବର ୮ ତାରିଖରେ ପୋପ୍ଙ୍କ ନିକଟକୁ ଲେଖିଥିବା ପତ୍ରରେ ପୀଡ଼ିତା ନନ୍ ଜଣକ ଉଲ୍ଲେଖ କରିଛନ୍ତି।
ପୀଡ଼ିତା ଜଣଙ୍କ ପୋପ୍ଙ୍କ ନିକଟକୁ ଲେଖିଥିବା ପତ୍ରରେ କହିଛନ୍ତି ଯେ ପିଲାବେଳୁ ଆମେ ଜାଣି ଆସିଥିଲୁ ଯେ ଚର୍ଚ୍ଚ ହେଉଛି ଆମମାନଙ୍କର ମା’। କିନ୍ତୁ, ମୁଁ ବରଂ ମୋ ଅଭିଜ୍ଞତା ଆଧାରରେ କହିବି ଯେ ଚର୍ଚ୍ଚ ମା’ ନୁହେଁ ସାବତ ମା’ ଆଉ ଶୋଷଣ କେନ୍ଦ୍ର। କେବଳ ମୁଁ ନୁହେଁ ମୋ ପରି ଆହୁରି ଅନେକ ନନ୍ ମଧ୍ୟ ବିଶପ୍ ଫ୍ରାନ୍କୋଙ୍କ ଯୌନ ଲାଳସାର ଶିକାର ହୋଇଛନ୍ତି। ଘଟଣା ସଂପର୍କରେ ଅବଗତ କରାଇ ନ୍ୟାୟ ପାଇଁ ଆମେ ଯେତେବେଳେ ବି ଚର୍ଚ୍ଚର ଉପରିସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛୁ ସେମାନେ ଆମକୁ ନାଲି ଆଖି ଦେଖାଇ ଚୁପ୍ କରାଇ ଦେବା ସହ ଦୁଷ୍କର୍ମକାରୀ ବିଶପଙ୍କୁ ସମର୍ଥନ ଦେଇଛନ୍ତି ବୋଲି କହିଛନ୍ତି ପୀଡ଼ିତା ନନ୍। ନିଜ ସହ ଘଟିଥିବା ଅତ୍ୟାଚାର ସଂପର୍କରେ ପୀଡ଼ିତା ନନ୍ ଜଣକ କେରଳ ପୁଲିସ୍ର ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲାପରେ ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠିତ ହୋଇଥିଲେ ସୁଦ୍ଧା ତଦନ୍ତ କାର୍ଯ୍ୟ ବିଶେଷ ବାଟ ଆଗେଇ ପାରି ନାହିଁ।