ଭାରତରେ କରୋନା ଭାଇରସ ସ୍ଥିତି ନିୟନ୍ତ୍ରଣାଧୀନ, କେରଳର ୩ ସଂକ୍ରମିତ ବ୍ୟକ୍ତି ରୋଗମୁକ୍ତ

ପୁନେ : ଭାରତରେ କରୋନା ଭାଇରସ ସ୍ଥିତି ଏପର୍ଯ୍ୟନ୍ତ ନିୟନ୍ତ୍ରଣାଧିନ ରହିଛି । କୋଲକତାରେ ଦୁଇଜଣ ବ୍ୟକ୍ତି ଏହି ଭୁତାଣୁରେ ସଂକ୍ରମିତ ହୋଇଥିବା ବେଳେ କେରଳରୁ କେତେକ ଆଶାଜନକ ଖବର ମିଳିଛି । ରାଜ୍ୟରେ ପୂର୍ବରୁ ତିନିଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବାବେଳେ ସେମାନେ ଏବେ ରୋଗମୁକ୍ତ ହୋଇଯାଇଛନ୍ତି । ଏହି ତିନିଜଣଙ୍କ ମଧ୍ୟରୁ ଜଣକୁ ଡାକ୍ତରଖାନାରୁ ଘରକୁ ପଠାଇଦିଆଯାଇଛି ଓ ଅନ୍ୟଦୁଇଜଣ ଏହି ଭୁତାଣୁ କବଳରୁ ମୁକ୍ତ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଛନ୍ତି ।

ପୁନେରେ ଜଣେ ୧୭ ମାସର ଶିଶୁକୁ କରୋନା ଭାଇରସ ସଂଦେହରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାହାର ରକ୍ତ ନମୁନାରୁ କରୋନା ଭାଇରସ ନେଗେଟିଭ ବୋଲି ଜଣାପଡ଼ିଛି । ଫଳରେ ତାକୁ ଘରକୁ ଛାଡ଼ିଦିଆଯାଇଛି ।

ଅନ୍ୟପକ୍ଷରେ ଜାପାନ ଉପକୂଳରେ ଅଟକି ରହିଥିବା କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନସେସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୧୮ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୨ ଜଣ ଭାରତୀୟ ଅଛନ୍ତି । ଆଜି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଟ୍ଵିଟ କରି କହିଛନ୍ତି ଯେ ଡାଇମଣ୍ଡ ପ୍ରିନସେସରେ ଥିବା ଭାରତୀୟ ମାନଙ୍କ ସହ ଭାରତୀୟ ଦୂତାବାସ ପକ୍ଷରୁ ଯୋଗାଯୋଗ ରକ୍ଷା କରାଯାଉଛି ଓ ସେମାନଙ୍କୁ ଆବଶ୍ୟକ ସହାୟତା କରାଯାଉଛି ।
ସୂଚନାଯୋଗ୍ୟ ଯେ କୋଲକତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ଥର୍ମାଲ ସ୍କ୍ରିନିଂ ବେଳେ ଦୁଇଜଣ ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି । ସେମାନେ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରୁ ଭାରତ ଆସିଥିଲେ ।

ସମ୍ବନ୍ଧିତ ଖବର