କେରଳରେ ମଦ ପିଇବାର ସର୍ବନିମ୍ନ ବୟସ ୨୩କୁ ବୃଦ୍ଧି

ତିରୁଅନନ୍ତପୁରମ୍‌-କେରଳର ବାମପନ୍ଥୀ ସରକାର ମଦ ପିଇବାର ସର୍ବନିମ୍ନ ବୟସସୀମାକୁ ୨୧ ବର୍ଷରୁ ୨୩ ବର୍ଷକୁ ବଢାଇଦେଇଛନ୍ତି । ଏ ନେଇ କେରଳ ସରକାର ଘୋଷଣା କରିବା ସହ ଖୁବ ଶୀଘ୍ର ମଦ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇ ଏକ ଅଧ୍ୟାଦେଶ ଜାରି କରାଯିବ ବୋଲି କହିଛନ୍ତି ।

କେରଳର ପୂର୍ବତନ କଂଗ୍ରେସ ସରକାର ରାଜ୍ୟରେ ମଦ୍ୟପାନକୁ ନେଇ କଠୋର କଟକଣା ଲଗାଇଥିଲେ । କେବଳ ପଞ୍ଚତାରକା ହୋଟେଲକୁ ଛାଡିଦେଲେ ଅନ୍ୟସବୁ ସ୍ଥାନରେ ମଦ ବିକ୍ରିକୁ ନିଷିଦ୍ଧ କରାଯାଇଥିଲା । ତେବେ ବେଳେ ଗତ ବର୍ଷ କ୍ଷମତାକୁ ଆସିବାପରେ ସିପିଆଇ(ଏମ) ସରକାର ସେଥିରେ କିଛିଟା କୋହଳ କରିଥିଲେ ।

ଏହା ଫଳରେ କେତେକ ମଦ ଦୋକାନ ବିୟରବାରରେ ପରିଣତ ହୋଇଯାଇଥିଲେ । ତେବେ ରାଜପଥ କଡରେ ମଦ୍ୟପାନକୁ ସୁପ୍ରିମକୋର୍ଟ ନିଷିଦ୍ଧ କରିବା ପରେ ସେଗୁଡିକ ମଧ୍ୟ ବନ୍ଦ ହୋଇଯାଇଥିଲା ।

ପୂର୍ବରୁ ଥିବା ନିୟମ ଅନୁସାରେ ଶିକ୍ଷାନୁଷ୍ଠାନ ଓ ଧର୍ମପୀଠଠାରୁ ମଦଦୋକାନ ଗୁଡିକ ଅତି କମରେ ୨୦୦ ମିଟର ଦୂରରେ ରହିବା ବାଧ୍ୟତାମୂଳକ ଥିଲା । ତେବେ ବାମପନ୍ଥୀ ସରକାର ତାହାକୁ ୫୦ ମିଟରକୁ କମାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର