ଥମୁନି ବିବାଦ: ଶିବସେନା କହିଲା ଯଦି ଯୁବତୀମାନେ ଶବରିମାଲା ମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି, ତେବେ ଦଳର କର୍ମୀମାନେ କରିବେ ଗଣ ଆତ୍ମହତ୍ୟା!

ଥିରୁବନ୍ତପୁରମ୍‌ (କେରଳ): କେରଳର ପ୍ରସିଦ୍ଧ ଶବରିମାଲା ମନ୍ଦିର ମଧ୍ୟକୁ ମହିଳାମାନଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟଙ୍କ ଏକ ସାମ୍ବିଧାନିକ ଖଣ୍ଡପୀଠ ପ୍ରବେଶାଧିକାର ପ୍ରଦାନ କରିବା ପରେ ଏହାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ଏହି ରାୟର ପୁନଃ ସମୀକ୍ଷା ପାଇଁ ସୁପ୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ ହୋଇଥିବା ବେଳେ କେରଳର ଶିବସେନା ଆଜି ଧମକ ଦେଇ କହିଛି ଯେ ଯଦି ଯୁବତୀ ଓ ଅଳ୍ପ ବୟସ୍କା ମହିଳାମାନେ ଶବରିମାଲା ମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି, ତେବେ ଆସନ୍ତା ଅକ୍ଟୋବର ୧୭ ଓ ୧୮ ତାରଖରେ ଦଳର ମହିଳା କର୍ମୀମାନେ ଗଣ ଆତ୍ମହତ୍ୟା କରିବେ! କେରଳ ଶିବସେନା ନେତା ପେରିନ୍‌ଗାମଲା ଅଜି ଧମକ ଦେଇ କହିଛନ୍ତି ଯେ ଦଳର ମହିଳା କର୍ମୀମାନେ ୧୭ ଓ ୧୮ ତାରିଖରେ ପମ୍ବା ନଦୀକୂଳରେ ଠୁଳ ହୋଇ ରହିବେ। ଯଦି କୌଣସି ଯୁବତୀ କିମ୍ବା ଅଳ୍ପ ବୟସ୍କା ମହିଳା ମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି, ତେବେ ସେମାନେ ସାମୂହିକ ଭାବେ ନଦୀମଧ୍ୟକୁ ଲମ୍ଫ ପ୍ରଦାନ କରିବା ସହ ଗଣ ଆତ୍ମହତ୍ୟା କରିବେ।

ସମ୍ବନ୍ଧିତ ଖବର