କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟିତ, ପ୍ରଥମ ରାଜ୍ୟ ଭାବେ କେରଳରେ ୪ ଅନ୍ତର୍ଜାତୀୟ ବିମାନବନ୍ଦର

ଥିରୁବନନ୍ତପୁରମ୍‌: ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ୪ଟି ଅନ୍ତର୍ଜାତୀୟ ବିମାନବନ୍ଦର ପାଇଛି। ଆଜି କେରଳର କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ମୁଖ୍ୟମନ୍ତ୍ରୀ ପି. ବିଜୟନ ମିଳିତ ଭାବେ ଏହି ବିମାନ ବନ୍ଦର ଉଦ୍‌ଘାଟନ କରିଛନ୍ତି। ବିମାନବନ୍ଦରରୁ ଆଜି ପ୍ରଥମ କରି ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ୧୮୦ ଯାତ୍ରୀଙ୍କୁ ଧରି ଆବୁଧାବି ଯାତ୍ରା କରିଥିଲା। ୨୦୦୦ ଏକର ପରିସର ପରିବ୍ୟାପ୍ତ ଏହି ବିମାନବନ୍ଦର ନିର୍ମାଣ ପାଇଁ ପାଖାପାଖି ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ନୂଆ ବିମାନବନ୍ଦରରେ ଏକ ସମୟରେ ୨,୦୦୦ ଯାତ୍ରୀ ରହିବା ଭଳି ବ୍ୟବସ୍ଥା କରାଯାଇଛି। ବିମାନବନ୍ଦର ରନ୍‌ୱେର ଲମ୍ବ ୩,୦୫୦ ମିଟର ଏବଂ ଏହାକୁ ୪,୦୦୦ ମିଟରକୁ ବୃଦ୍ଧି କରାଯିବ। କନ୍ନୁରରୁ ଉଡ଼ିବାକୁ ଥିବା ଅନ୍ତର୍ଜାତୀୟ ବିମାନ ଗୁଡ଼ିକ ୟୁଏଇ, ଓମାନ୍‌ ଏବଂ କତାର ସହିତ ବିମାନ ମାଗରେ ସଂଯୋଗ ସ୍ଥାପନ କରିବ। ଏହି ବିମାନବନ୍ଦରରୁ ହାଇଦ୍ରାବାଦ୍‌, ବେଙ୍ଗାଲୁରୁ ଏବଂ ମୁମ୍ବାଇକୁ ମଧ୍ୟ ବିମାନ ଚଳାଚଳ କରିବ। କେରଳରେ ଥିବା ଅନ୍ୟ ୩ଟି ଅନ୍ତର୍ଜାତୀୟ ବିମାନବନ୍ଦର ହେଲା ଥିରୁବନନ୍ତପୁରମ୍‌, କୋଚି ଏବଂ କୋଝିକୋଡ୍‌।

ସମ୍ବନ୍ଧିତ ଖବର