ବୋପାୟା ଅସ୍ଥାୟୀ ବାଚସ୍ପତି ନିଯୁକ୍ତି ହେବା କାହିଁକି ଗୁରୁତ୍ୱପୂର୍ଣ୍ଣ ?

ବାଙ୍ଗାଲୁରୁ : କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତା କେଜି ବୋପାୟାଙ୍କୁ ବିଧାନସଭାର ପ୍ରୋ-ଟେମ ବା ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିଛନ୍ତି କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା । ତେବେ ଏହାକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି । କଂଗ୍ରେସର ବିଧାୟକ ଆରଭି ଦେଶପାଣ୍ଡେ ବରିଷ୍ଠତମ ବିଧାୟକ ହୋଇଥିବାବେଳେ ରାଜ୍ୟପାଳ ବୋପାୟାଙ୍କୁ ନିଯୁକ୍ତ କରିବାରୁ କଂଗ୍ରେସ ସୁପ୍ରିମକୋର୍ଟ ଯିବ ବୋଲି ଧମକ ଦେଇଛି । ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିବା ରାଜ୍ୟପାଳଙ୍କ କ୍ଷମତା ପରିସରରେ ଆସୁଥିବାବେଳେ ଚାଲିଆସିଥିବା ପରମ୍ପରା ଅନୁସାରେ ବିଧାନସଭାର ବରିଷ୍ଠତମ ବିଧାୟକଙ୍କୁ ଅସ୍ଥାୟୀ ବାଚସ୍ପତି କରାଯାଇଥାଏ । ନିକଟରେ ହୋଇଥିବା ନିର୍ବାଚନରେ କେଜି ବୋପାୟା କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ବିରାଜାପେଟେ ଆସନରୁ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି । ତେବେ କଂଗ୍ରେସ ବିଧାୟକ ଦେସପାଣ୍ଡେ କହିଛନ୍ତି ଯେ ରାଜ୍ୟପାଳ ବରିଷ୍ଠତମ ବିଧାୟକଙ୍କୁ ନିଯୁକ୍ତ ନ କରି ବୋପାୟାଙ୍କୁ ନିଯୁକ୍ତ କରିବା ଦୁର୍ଭାଗ୍ୟଜନକ । ତେବେ ଏଠାରେ ପ୍ରଶ୍ନ ଉଠୁଛି ବୋପାୟା ଅସ୍ଥାୟୀ ବାଚସ୍ପତି ନିଯୁକ୍ତି ହେବା କାହିଁକି ଗୁରୁତ୍ୱପୂର୍ଣ୍ଣ ? କାହିଁକି ତାଙ୍କୁ କଂଗ୍ରେସ ବିରୋଧ କରୁଛି ? ସମ୍ବିଧାନ ଅନୁସାରେ ଅସ୍ଥାୟୀ ବାଚସ୍ପତି ବିଧାନସଭାର ନବନିଯୁକ୍ତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ ଓ ତାପରେ ସ୍ଥାୟୀ ବାଚସ୍ପତି ନିଯୁକ୍ତ ହେବେ । କିନ୍ତୁ ଏଥର ଅସ୍ଥାୟୀ ବାଚସ୍ପତି ଆସ୍ଥା ଭୋଟର ମଧ୍ୟ ପରିଚାଳନା କରିବେ । ଏଣୁ ଯଦି କୌଣସି ବିରୋଧୀ ବିଧାୟ କ୍ରସ ଭୋଟିଂ କରନ୍ତି ତାଙ୍କ ବିରୋଧରେ ଆଇନ ଅନୁସାରେ ଦଳବଦଳ ନିରୋଧ ଆଇନ ଲାଗୁ ହେବା କଥା । ତେବେ ଅସ୍ଥାୟୀ ବାଚସ୍ପତି ହିଁ ଏହି ଆଇନକୁ ଲାଗୁ କରିବେ । ଅର୍ଥାତ ସେ ଚାହିଁଲେ ଉକ୍ତ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବେ, ଚାହିଁଲେ କାର୍ଯ୍ୟାନୁଷ୍ଠାନକୁ ବିଳମ୍ବିତ କରିପାରିବେ ।

ସମ୍ବନ୍ଧିତ ଖବର