ନୂଆ ସିବିଆଇ ନିର୍ଦ୍ଦେଶକଙ୍କୁ ଖଡ଼ଗେଙ୍କ ବିରୋଧ

ନୂଆଦିଲ୍ଲୀ: କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ନୂତନ ସିବିଆଇ ନିର୍ଦ୍ଦେଶକ ଭାବେ ଋଷି କୁମାର ଶୁକ୍ଳାଙ୍କ ନିଯୁକ୍ତିକୁ ବିରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖଡ଼‌ଗେ ନିଜ ଅସନ୍ତୋଷ ଅବଗତ କରାଇଛନ୍ତି। ଶୁକ୍ଳାଙ୍କ ନିକଟରେ ଦୁର୍ନୀତି ବିରୋଧୀ ମାମଲା ତଦନ୍ତର ପର୍ଯ୍ୟାପ୍ତ ଅନୁଭବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିହ୍ନା ଖଡ଼ଗେଙ୍କୁ ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ ନେତା କେବଳ ନିଜ ପସନ୍ଦର ଅଧିକାରୀଙ୍କୁ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ଦେବାକୁ ଚାହୁଛନ୍ତି। କମିଟିର ନିଷ୍ପତ୍ତି ମୁତାବକ ସିବିଆଇ ନିର୍ଦ୍ଦେଶକ ଚୟନ ହୋଇଥିବାରୁ ଏଭଳି ବିରୋଧର କିଛି ଅର୍ଥ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଖଡ଼ଗେ ପୂର୍ବ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ମଧ୍ୟ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯିବା ବେଳେ ବିରୋଧ କରିଥିଲେ ଏବଂ ତାଙ୍କୁ ପଦରୁ ହଟାଯିବା ସମୟରେ ମଧ୍ୟ ବିରୋଧ କରିଥିଲେ। ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ଗଠିତ ଉଚ୍ଚ କ୍ଷମତାପନ୍ନ କମିଟିରେ ଖଡ଼ଗେ ମଧ୍ୟ ସଦସ୍ୟ ଅଛନ୍ତି। ଏହି କମିଟିର ଅନ୍ୟ ଦୁଇ ସଦସ୍ୟ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇ।

ନିର୍ବିବାଦୀୟ ଅଫିସର ଋଷି କୁମାର ଶୁକ୍ଳା
ମଧ୍ୟପ୍ରଦେଶର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଋଷି କୁମାର ଶୁକ୍ଳାଙ୍କୁ ଆଜି ସିବିଆଇର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୩ ବ୍ୟାଚ୍‌ର ଏହି ମଧ୍ୟପ୍ରଦେଶ କ୍ୟାଡର ଆଇପିଏସ୍‌ ଅଫିସର ଜଣେ ନିର୍ବିବାଦୀୟ ଅଧିକାରୀ ଭାବେ ଜଣାଶୁଣା

୫୯ ବର୍ଷୀୟ ଶୁକ୍ଳାଙ୍କ ଘର ମଧ୍ୟପ୍ରଦେଶର ଗ୍ବାଲିୟରରେ।
ନିକଟରେ ମଧ୍ୟପ୍ର‌ଦେଶରେ କଂଗ୍ରେସ ସରକାର ଆସିବାପରେ ତାଙ୍କୁ ପୁଲିସ ମୁଖ୍ୟ ପଦରୁ ହଟାଇ ପୁଲିସ ହାଉସିଂ କର୍ପୋରେସନ୍‌କୁ ବଦଳି କରାଯାଇଥିଲା। ଜୁନ୍‌ ୩୦, ୨୦୧୬ରେ ଶୁକ୍ଳାଙ୍କୁ ମଧ୍ୟପ୍ରଦେଶର ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ଜାନୁଆରି ୩୦, ୨୦୧୯ ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ। ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନ ପାଇଁ ବେଶ୍‌ ଜଣାଶୁଣା ଶୁକ୍ଳା ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ସିବିଆଇ ମୁଖ୍ୟ ଦାୟିତ୍ବରେ ରହିବେ। ନୂଆ ସିବିଆଇ ମୁଖ୍ୟ ଶୁକ୍ଳା ଇଣ୍ଟେଲିଜେନ୍ସ ବ୍ୟୁରୋରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର