ଭାରତମୁହାଁ ଖଲିସ୍ତାନୀ ଆତଙ୍କବାଦୀ : ୟୁଏଇରେ ଘାଟି ସ୍ଥାପନ କଲେ :ପଞ୍ଜାବ ଉପରେ ନଜର

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀମାନେ ଏବେ ଭାରତମୁହାଁ ହୋଇଛନ୍ତି। ଭାରତରେ ଆତଙ୍କ ଖେଳାଇବା ପାଇଁ ସେମାନେ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେମାନେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ନିଜର ନୂଆ ଘାଟି ସ୍ଥାପନ କରିଥିବା ଭାରତୀୟ ନିରାପତ୍ତା ଏଜେନ୍ସି (ଏନ୍‌ଆଇଏ) ସୂତ୍ରରୁ ଜଣାପଡ଼ିଛି। ସେମାନେ ୟୁଏଇରେ ଘାଟି ସ୍ଥାପନ କରି ପ୍ରଥମେ ପଞ୍ଜାବକୁ ଟାର୍ଗେଟ୍‌ କରି ଏଠାରେ ଆତଙ୍କ ସୃଷ୍ଟି କରିବେ ବୋଲି ଆଶଙ୍କା କରାଯାଉଛି।
ଏନ୍‌ଆଇଏ ସୂତ୍ରରୁ ଜଣାଯାଇଛି ଯେ ଏହି ଶିଖ୍‌ ଆତଙ୍କବାଦୀ ଗୋଷ୍ଠୀ ପଞ୍ଜାବରେ ପ୍ରଥମେ ଆକ୍ରମଣ ଘଟାଇ ନିଜ ଉପସ୍ଥିତି ପୁନଃ ଜାହିର କରିବେ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଅଞ୍ଚଳକୁ ବ୍ୟାପିଯିବେ। ୟୁଏଇର ଏକ ପ୍ରମୁଖ ସୁଟିଂ କ୍ଲବ୍‌ରେ ଏହି ଆତଙ୍କବାଦୀ ଗୋଷ୍ଠୀ ନିଜର ପ୍ରଥମ ଭାରତ-ବିରୋଧୀ କାର୍ଯ୍ୟକଳାପ ଆରମ୍ଭ କରିଥିଲା। ଖଲିସ୍ତାନ ଲିବରେସନ୍‌ ଫୋର୍ସ (କେଏଲ୍‌ଏଫ୍) ସହିତ ଏମାନେ ସାମିଲ ହୋଇଥିବା ଜଣାପଡ଼ିଛି। ପଞ୍ଜାବରେ ଆତଙ୍କ ଖେଳାଇବା ପାଇଁ ‌ସେମାନେ ପ୍ରଥମେ ଦଙ୍ଗା ସୃଷ୍ଟି କରିବାକୁ ଯୋଜନା କରିଥିଲେ। ଏଥିପାଇଁ ରାଜ୍ୟର କେତେକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବିପୁଳ ଟଙ୍କା ପ୍ରଦାନ କରିଥିଲେ। ରାଜ୍ୟରେ ଅନ୍ୟ ଧର୍ମଗୁଡ଼ିକର ପ୍ରଭାବୀ ମୁଖ୍ୟମାନଙ୍କ ସଂଖ୍ୟା କମାଇବା ପାଇଁ ମଧ୍ୟ ଏମାନେ ଯୋଜନା କରିଥିଲେ। ଉଲ୍ଲେଖଯୋଗ୍ୟ, କେଏଲ୍‌ଏଫ୍‌କୁ ନିଷେଧ କରିବା ପାଇଁ କିଛିଦିନ ପୂର୍ବେ ଏନ୍‌ଆଇଏ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଥିଲା। ଦେଶରେ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ଘଟିଥିବା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ କେଏଲ୍‌ଏଫ୍ ଦାୟୀ ଥିଲା ବୋଲି ଏନ୍‌ଆଇଏ ଦାବି କରିଥିଲା। ଏନ୍‌ଆଇଏର ସୂଚନ‌ା ମୁତାବକ କେଏଲ୍‌ଏଫ୍‌ର ସଦସ୍ୟମାନେ ପଞ୍ଜାବରେ ଆର୍‌ଏସ୍‌ଏସ୍‌ ନେତାମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି। ସେମାନଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି। ଧୀରେ ଧୀରେ ସେମାନେ ଏଠାରେ ଆତଙ୍କ ଖେଳାଇବାରେ ଲାଗିଥିବା ଏନ୍‌ଆଇଏ ସ୍ପଷ୍ଟ କରିଛି।
ଗତବର୍ଷ ଲୁଧିଆନାରେ ଜଣେ ଆର୍‌ଏସ୍‌ଏସ୍‌ ନେତା ଏବଂ ଜଣେ ପାଦ୍ରୀଙ୍କୁ ହତ୍ୟା କରାଯିବା ଘଟଣାରେ ଏନ୍‌ଆଇଏ ଦୁଇଟି ଚାର୍ଜସିଟ୍‌ ଦାଖଲ କରିଥିଲା। ୧୫ ଜଣଙ୍କ ବିରୋଧରେ ଏହା ଦାଖଲ ‌ହୋଇଥିଲା ବେଳେ ଏମାନଙ୍କ ମଧ୍ୟରେ କିଛି ଖଲିସ୍ତାନୀ ଆତଙ୍କବାଦୀଙ୍କ ନାମ ରହିଥିଲା। ଚାର୍ଜସିଟ୍‌ରେ ଏନ୍‌ଆଇଏ ଆହୁରି ଦର୍ଶାଇଥିଲା ଯେ ପାକିସ୍ତାନ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଇଟାଲୀ, ବ୍ରିଟେନ୍‌ ଏବଂ ୟୁଏଇରେ ଏହି ଆତଙ୍କବାଦୀ ଗୋଷ୍ଠୀ ସମାନ ପ୍ରକାର ଆତଙ୍କ ଖେଳାଇ ଅନ୍ୟ ଧର୍ମାବଲମ୍ବୀ ନେତାଙ୍କୁ ଟାର୍ଗେଟ୍‌ କରିଛି। ଚାର୍ଜସିଟ୍‌ରେ ହର୍‌ମିତ୍‌ ସିଂହ, ଗୁରଜିନ୍ଦର ସିଂହ, ଗୁରଶରନବିର ସିଂହ, ଗୁରଜନ୍ତ ସିଂହ ଧିଲନ୍‌ଙ୍କ ନାମ ରହିଥିଲା। ଏମାନେ ଯଥାକ୍ରମେ ପାକିସ୍ତାନ, ଇଟାଲୀ, ବ୍ରିଟେନ୍‌ ଓ ଅଷ୍ଟ୍ରେଲିଆରେ ରହିଥିବା ଏନ୍‌ଆଇଏ ପକ୍ଷରୁ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର