ଖସୋଗି ହତ୍ୟାକାଣ୍ଡ, ୫ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ

ସାଉଦି ପ୍ରିନ୍ସଙ୍କୁ କ୍ଲିନ୍‌ଚିଟ୍‌

ରିୟାଦ: ସାଉଦି ସାମ୍ବାଦିକ ଜମାଲ୍‌ ଖସୋଗିଙ୍କ ହତ୍ୟା ମାମଲାରେ ୫ ଜଣ ସାଉଦି ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ହୋଇଛି। ତେବେ ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ଙ୍କୁ କ୍ଲିନ୍‌ଚିଟ୍‌ ମିଳିଛି। ରାୟ ପ୍ରକାଶ ପରେ ଜଣେ ସାଉଦି ଆଇନଜୀବୀ କହିଛନ୍ତି ଯେ ଖସୋଗିଙ୍କ ହତ୍ୟାକାଣ୍ଡରେ ପ୍ରିନ୍ସଙ୍କର କୌଣସି ସମ୍ପୃକ୍ତି ନଥିଲା କି ଏବଂ ସେ ହତ୍ୟାକାଣ୍ଡ ସମ୍ପର୍କରେ କିଛି ଜାଣିନଥିଲେ। ସାଉଦି କୋର୍ଟରେ ଏଭଳି ଦଣ୍ଡବିଧାନ ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ଖସୋଗିଙ୍କ ହତ୍ୟାକାଣ୍ଡର ଅନ୍ତର୍ଜାତୀୟ ତଦନ୍ତ ପାଇଁ ତୁର୍କୀ ଦାବିକରିଆସୁଥିବା ବେଳେ ଆଜି ସାଉଦି ଆରବ ପକ୍ଷରୁ ଉକ୍ତ ମାମଲାରେ ୫ ଜଣ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ହୋଇଥିବା ଘୋଷଣା କରାଯାଇଛି। ସାଉଦି ସରକାରୀ ମୁଖପାତ୍ର କହିଛନ୍ତି ଯେ ଖସୋଗିଙ୍କୁ ନିଶାସକ୍ତ କରାଯିବା ପରେ ହତ୍ୟା କରାଯାଇଥିଲା। ତାଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରି ନଷ୍ଟ କରି ଦିଆଯାଇଥିଲା। ପରେ ଦୂତାବାସ ବାହାରେ ଥିବା ଜଣେ ଏଜେଣ୍ଟ୍‌ଙ୍କୁ ଖସୋଗିଙ୍କ ଶରୀରର ବିଭିନ୍ନ ଅଂଶଗୁଡ଼ିକୁ ହସ୍ତାନ୍ତର କରାଯାଇଥିଲା। ‌ତେବେ କ୍ରାଉନ୍‌ ପ୍ରିନ୍ସ ସଲମାନ୍ ଉକ୍ତ ଘଟଣା ସମ୍ପର୍କରେ କିଛି ଜାଣିନଥିଲେ କି ତାଙ୍କର ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ମୁଖପାତ୍ର ଆହୁରି କହିଛନ୍ତି ଯେ ସାଉଦି ଆରବ ଗୁଇନ୍ଦା ବିଭାଗର ଉପ ମୁଖ୍ୟ ଜେନେରାଲ ଅହମ୍ମଦ ଅଲ୍‌-ଆସିରି ଖସୋଗିଙ୍କୁ ରାଷ୍ଟ୍ରକୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଖସୋଗିଙ୍କୁ ଫେରାଇ ଆଣିବା ପାଇଁ ଇସ୍ତାନବୁଲ୍‌ ଯାଇଥିବା ଦଳର ମୁଖ୍ୟ ଖସୋଗିଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ପକ୍ଷ ମଧ୍ୟରେ କୌଣସି ଘଟଣାକୁ ନେଇ ପ୍ରବଳ ଯୁକ୍ତିତର୍କ ହେବା ପରେ ତାଙ୍କୁ ହତ୍ୟା କରିବା ଲାଗି ଶେଷରେ ନିଷ୍ପତ୍ତି ହୋଇଥିଲା। ଏହାପରେ ଯୋଜନାବଦ୍ଧ ଭାବେ ତାଙ୍କୁ ମାରିଦିଆଯାଇଥିଲା। ଖସୋଗି ହତ୍ୟା ମାମଲାରେ ଏବେ ସମୁଦାୟ ୨୧ ଜଣ ହାଜତରେ ଅଛନ୍ତି। ଗତ ଅକ୍ଟୋବର ୨ ତାରିଖରେ ଖସୋଗି ଶେଷଥର ପାଇଁ ଇସ୍ତାନବୁଲ୍‌ ଦୂତାବାସରେ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା। ତାଙ୍କର ହଠାତ୍‌ ଏଭଳି ନିଖୋଜ ହୋଇଯିବାକୁ ନେଇ ତନାଘନା ଚାଲିଥିଲା। ୧୫ ଦିନ ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଚାପ ପଡ଼ିବା ପରେ ସାଉଦି ବାଧ୍ୟହୋଇ ଖସୋଗିଙ୍କୁ ହତ୍ୟା କରାଯାଇଥିବା ସ୍ବୀକାର କରିଥିଲା।

ସମ୍ବନ୍ଧିତ ଖବର