ଅପହୃତ ୩୯ ଭାରତୀୟ ମୃତ

ସରକାରଙ୍କୁ ଘେରିଲେ ପରିବାର ଲୋକେ, ଏତେ ବର୍ଷ ଧରି ଲୁଚାଇଥିଲ କାହିଁକି?

ନୂଆଦିଲ୍ଲୀ: ଶେଷରେ ଭାରତ ସରକାର ଆଜି ସଂସଦରେ ସ୍ୱୀକାର କରିଛନ୍ତି। ପ୍ରାୟ ୪ ବର୍ଷ ପୂର୍ବେ ଇରାକୀ ସହର ମୋସୁଲରୁ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ୩୯ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ସଂସଦରେ ଏହି ସୂଚନା ଦେବା ପରେ ବିରୋଧୀ ଦଳ ସରକାରଙ୍କୁ ଘେରିବା ସହିତ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମଗ୍ର ଘଟଣା ଲାଗି ସେମାନେ ସରକାରଙ୍କୁ ଦାୟୀ କରିଛନ୍ତି। ଏହି କଥାକୁ ସରକାର କାହିଁକି ଲୁଚାଇ ରଖିଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ସରକାର  ସଫେଇ ଦେଇଛନ୍ତି, ପରିବାର ଲୋକଙ୍କୁ ଅନ୍ଧାରରେ ରଖାଯାଇ ନଥିଲା। ଠୋସ ପ୍ରମାଣ ମିଳିବା ପରେ ହିଁ ଅପହୃତମାନଙ୍କୁ ମୃତ ଘୋଷଣା କରାଯାଇଛି। ତେବେ ପରିବାର ଲୋକେ ଏଥିରେ ସନ୍ତୁଷ୍ଟ ହୋଇନାହାନ୍ତି। ମୃତ୍ୟୁର ପ୍ରମାଣ ଦେବାକୁ ସେମାନେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଆଜି ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସୂଚନା ଦେଇଛନ୍ତି ଯେ ଇରାକ୍‌ର ମୋସୁଲ୍‌ରୁ ଇସ୍‌୍‌ଲାମିକ ଷ୍ଟେଟ୍‌ (ଆଇଏସ) ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ୩୯ ଭାରତୀୟଙ୍କର ମୃତ୍ୟୁ ଘଟିିଛି। ସେମାନଙ୍କ ମର ଶରୀର  ଉଦ୍ଧାର ହୋଇସାରିଛି ଏବଂ  ଭାରତକୁ ଆଣିବା  ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ସମୟରେ ୩୯ ଭାରତୀୟଙ୍କର ମୃତ୍ୟୁ ଘଟିଛି ତାହା ଜଣାପଡ଼ିନାହିଁ। ସମସ୍ତ ଅପହୃତ ଶ୍ରମିକଙ୍କ ମର ଶରୀର ମୋସୁଲ୍‌ର ବାଦୁସ୍‌ ଗ୍ରାମରୁ ଉଦ୍ଧାର ହୋଇଛି। ଏକ ଗଣ କବର ଭିତରୁ ମୃତଦେହ ଉଦ୍ଧାର ପରେ ଡିଏନ୍‌ଏ ପରୀକ୍ଷା ମଧ୍ୟ ସରିଛି। ଅପହୃତ ୩୯ ଜଣ ଭାରତୀୟଙ୍କ ମଧ୍ୟରୁ ୩୮ ଜଣଙ୍କ ଡିଏନ୍‌୍‌ଏ ନମୁନା ମେଳ ଖାଉଥିବା ବେଳେ ଆଉ ଜଣେ ବ୍ୟକ୍ତିଙ୍କ ଡିଏନ୍‌ଏ ନମୁନା ୭୦ ପ୍ରତିଶତ ମେଳ ଖାଉଥିବା ଜଣାପଡ଼ିଛି। ଭାରତ ଓ ଇରାକ୍‌ ସରକାରଙ୍କ ମିଳିତ ପ୍ରୟାସରେ ଏହି ଉଦ୍ଧାର ଓ ଚିହ୍ନଟ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିବା ସୁଷମା ସୂଚନା ଦେଇଛନ୍ତି। ୧୫ ଜୁନ୍‌ ୨୦୧୪ରେ ଇରାକ୍‌ର ମୋସୁଲ ସହରରୁ ୪୦ ଭାରତୀୟ ଶ୍ରମିକଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ମୃତ୍ୟୁ ଘଟିଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।  ଗତବର୍ଷ ଜୁଲାଇ ମାସରେ ସଂସଦରେ ବୈଦେଶିକ ମନ୍ତ୍ରୀ କହିଥିଲେ ଯେ କୌଣସି ପ୍ରମାଣ ନଥାଇ ଉକ୍ତ ୩୯ ଭାରତୀୟଙ୍କୁ ମୃତ ବୋଲି ଘୋଷଣା କରିବା ପାପ ହେବ।  ଏବେ ବଳିଷ୍ଠ ପ୍ରମାଣ ମିଳିବା ପରେ ୩୯ ଅପହୃତ ଭାରତୀୟଙ୍କୁ ମୃତ ଘୋଷଣା କରାଯାଇଛି।  ମୃତ ଭାରତୀୟଙ୍କ ଦେହାବଶେଷ ଏକ ସ୍ୱତନ୍ତ୍ର ବିମାନରେ ଭାରତ ଆସିବ । ମରଶରୀର ଆଣିବାପାଇଁ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ଇରାକ୍‌ ଗସ୍ତ କରିବେ ବୋଲି ଜଣାପଡ଼ିଛି। ମର ଶରୀର ନେଇ ବିମାନ ପ୍ରଥମେ ଅମୃତସର ଯିବ ତା’ପରେ ପାଟନା ଏବଂ  କୋଲକାତା ଯିବକୁ ଯୋଜନା ହୋଇଛି ।  ଉକ୍ତ ୩୯ ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବ୍‌ର ଏବଂ ସେମାନେ ମୋସୁଲ୍‌ ନିକଟରେ ଏକ ପ୍ରକଳ୍ପରେ କାମ କରୁଥିଲେ। ଏହି ପ୍ରକଳ୍ପ କାମ ସମୟରେ  ସେମାନଙ୍କୁ ଆଇଏସ ଆତଙ୍କବାଦୀ ଅପହରଣ କରି ସହରଠାରୁ ପ୍ରାୟ ୪୦ କିମି ଦୂର ଏକ ପାହାଡ଼ ତଳେ ବନ୍ଦୀ କରି ରଖିଥିଲେ।

ଅନ୍ୟପକ୍ଷରେ ସୁଷମା ଏ ବାବଦ ଖବର ପ୍ରଥମେ ପୀଡ଼ିତ ପରିବାରଙ୍କୁ ନଜଣାଇ ସଂସଦରେ କାହିଁକି ଘୋଷଣା କଲେ ବୋଲି  କେତେକ ପରିବାର ସଦସ୍ୟ ପ୍ରଶ୍ନ କରିଛନ୍ତି।  ଏହାର ଜବାବରେ ସୁଷମା କହିଛନ୍ତି ଯେ  ସଂସଦୀୟ ନିୟମ ଅନୁଯାୟୀ ସେ ପ୍ରଥମେ ଗୃହରେ ଏହି ଖବର ଜଣାଇବା ତାଙ୍କ କର୍ତ୍ତବ୍ୟ ଥିଲା। ଅନ୍ୟପକ୍ଷରେ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଥିବା ଏବଂ ଲୋକସଭାରେ ହଟ୍ଟଗୋଳ କରିଥିବାରୁ ସୁଷମା ଏହାର ବିରୋଧ କରି କହିଛନ୍ତି ଯେ କଂଗ୍ରେସ ମୃତ୍ୟୁକୁ ନେଇ ରାଜନୀତି କରୁଛି ଏବଂ ଏହା ତଳ ସ୍ତରର ରାଜନୀତି। ସୂଚନାନୁଯାୟୀ ଉକ୍ତ ୩୯ ମରଶରୀର ମଧ୍ୟରୁ ୨୬ ଜଣ ପଞ୍ଜାବର ହୋଇଥିବା ବେଳେ, ୬ ଜଣ ବିହାରର, ୪ ଜଣ ହିମାଚଳ ପ୍ରଦେଶର ଏବଂ ୨ ଜଣ ପଶ୍ଚିମବଙ୍ଗର। ଗତବର୍ଷ ଉକ୍ତ ନିଖୋଜ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କର ଡିଏନ୍‌ଏ ନମୁନା ସଂଗ୍ରହ କରି ଇରାକ୍‌ ସରକାରଙ୍କୁ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର