କିଡ୍‌ନି ରୋଗରେ ପୀଡ଼ିତ ଜେଟଲି

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କିଡନି ସଂକ୍ରାନ୍ତ ରୋଗରେ ପୀଡ଼ିତ। ଖୁବ୍‌ ଶୀଘ୍ର ତାଙ୍କର କିଡ୍‌ନି ପ୍ରତିରୋପଣ ହୋଇପାରେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ସଂକ୍ରମଣ ହେବାର ଭୟ ଥିବାରୁ ଜେଟଲିଙ୍କ ଚିକିତ୍ସକ ତାଙ୍କୁ ବାହାରକୁ ଯିବାପାଇଁ ମନା କରିଛନ୍ତି। ଅସୁସ୍ଥତା ପାଇଁ ଜେଟ୍‌ଲି ରାଜ୍ୟସଭା ସଦସ୍ୟ ରୂପେ ମଧ୍ୟ ଶପଥ ନେଇପାରିନାହାନ୍ତି। ଏନ୍‌୍‌ଡିଏ ସରକାରରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଜେଟ୍‌ଲି ଗତ ୧୦ ଦିନ ହେବ ତାଙ୍କ ବାସଭବନରୁ ହିଁ ଅଫିସ୍‌ କାର୍ଯ୍ୟ ସଂଚାଳନ କରୁଥିବା ଜଣାପଡ଼ିଛି। ଏମ୍ସର କାର୍ଡିଓ ନ୍ୟୁରୋ ଟାଓ୍ଵାରକୁ ଚିକିତ୍ସା ପାଇଁ ସେ ଯାଇପାରନ୍ତି। ତେବେ କିଡନି ପ୍ରତିରୋପଣ ପାଇଁ ଜେଟ୍‌ଲି ସିଙ୍ଗାପୁର ଯିବା କଥା ଶୁଣାଯାଉଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଦୀର୍ଘଦିନ ଧରି ମଧୁମେହ ରୋଗରେ ପୀଡ଼ିତ ଜେଟ୍‌ଲିଙ୍କ ଗତ ୨୦୧୪ ମସିହା ସେପ୍ଟେମ୍ବର ମାସରେ ଓଜନ କମାଇବାପାଇଁ ବାରିଆଟ୍ରିକ୍‌ ସର୍ଜରି ହୋଇଥିଲା।

ଏହି ଅପରେସନ ସଫଳ ହୋଇଥିଲେ ମଧ୍ୟ ଏହାର ମାସକ ପରେ ସେ ଶ୍ୱାସକ୍ରିୟା ସଂକ୍ରମଣର ଶିକାର ହୋଇଥିଲେ। ତେବେ ମଧୁମେହଜନିତ ସମସ୍ୟା ଯୋଗୁଁ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଜଟିଳତା ଦେଇ ଗତି କରୁଛି। ପୂର୍ବରୁ ଜେଟ୍‌ଲିଙ୍କର ହୃଦ୍‌ ଅସ୍ତ୍ରୋପଚାର ହୋଇସାରିଛି। ଡାଏବେଟିସ୍‌୍‌ ଅନିୟନ୍ତ୍ରିତ ଥିବାରୁ ତାଙ୍କର କିଡ୍‌ନି ଚିକିତ୍ସା ପାଇଁ ସୀମିତ ଉପାୟ ରହିଛି। ଏ କ୍ଷେତ୍ରରେ ଡାଏଲିସିସ୍‌ କଲେ ମଧ୍ୟ ଏହା ଜଟିଳ ପରିସ୍ଥିତି ସୃଷ୍ଟି କରିବ। ତେଣୁ କିଡନି ପ୍ରତିରୋପଣ ପାଇଁ ସୁପାରିସ କରାଯାଇଛି। ଜେଟ୍‌ଲି ଏବେ ନରେନ୍ଦ୍ର ମୋଦି ସରକାରରେ ପ୍ରମୁଖ ମନ୍ତ୍ରୀ ହୋଇଥିବା ଏବଂ ସେ ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ଭଳି ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବାରୁ କିଡନି ପ୍ରତିରୋପଣ ହେଲେ ଜେଟ୍‌ଲିଙ୍କ କାର୍ଯ୍ୟ ତୁଲାଇବାପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ ଡିସେମ୍ବର ୨୦୧୬ ମସିହାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ କିଡନି ପ୍ରତିରୋପଣ ହୋଇଥିଲା। ଅନ୍ୟପକ୍ଷରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଗତ ଫେବ୍ରୁଆରି ମାସରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଏବେ ସେ ଆମେରିକାରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର