ଜିନ୍‌ସ୍‌ପିନ୍ଧା ମାଆମାନେ କିନ୍ନର ଜନ୍ମ ଦେଉଛନ୍ତି: ଅଧ୍ୟାପକ ରଜିତ କୁମାର

ନୂଆଦିଲ୍ଲୀ: କେରଳର ଜଣେ ଆତ୍ମଘୋଷିତ ଛାତ୍ରଛାତ୍ରୀ ପରାମର୍ଶଦାତା ଅବୈଜ୍ଞାନିକ ଏବଂ ଅଶାଳୀନ ମନ୍ତବ୍ୟ ଦେଇ ସରକାରଙ୍କର ରୋଷର ଶିକାର ହୋଇଛନ୍ତି। ସେ କହିଛନ୍ତି ଯେ ଯଦି ଜଣେ ନାରୀ ଜିନ୍‌ସ୍‌ ପିନ୍ଧନ୍ତି, ତେବେ ତାଙ୍କ ପିଲା କିନ୍ନର ହେବ। ପିତାମାତାଙ୍କ ମଧ୍ୟରେ ଅବାଧ୍ୟତା ଗୁଣ ଥିଲେ ପିଲାଏ ଅଟିଜିମ୍‌ର ଶିକାର ହୁଅନ୍ତି।

ଏ ଭଳି ମନ୍ତବ୍ୟ ଦେଇଥିବା ବ୍ୟକ୍ତିଜଣକ ହେଉଛନ୍ତି ରଜିତ କୁମାର। ସେ କଲାଡ଼ୀରସ୍ଥିତ ଏକ ସରକାରୀ କଲେଜରେ ଅଧ୍ୟାପନା କରନ୍ତି। ନାରୀବିରୋଧୀ ଏବଂ ଲିଙ୍ଗଗତ ନିଷ୍ଠୁରତା ଆଦି ପ୍ରସାର କରୁଥିବା କଥା ଦର୍ଶାଇ କେରଳ ସରକାର ତାଙ୍କୁ ସମାଲୋଚନା କରିଛନ୍ତି।

ପିତାମାତାଙ୍କ କାରଣରୁ ପିଲାଏ କିନ୍ନର କିଂବା ଅଟିଜିମ୍‌ରେ ଆକ୍ରାନ୍ତ ହୁଅନ୍ତି ବୋଲି ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ରଜିତ କହିଥିଲେ। ସେ କହିଥିଲେ, ନାରୀ ନିଜର ନାରୀତ୍ୱ ଅସମ୍ମାନ କଲେ, କିଂବା ପୁରୁଷ ପୌରୁଷର ଅସମ୍ମାନ କଲେ ସେମାନଙ୍କ ଠାରୁ ଜାତ ଝିଅଠାରେ ପୁରୁଷ ଲକ୍ଷଣ ଦେଖାଦିଏ। ସେଭଳି ନାରୀଙ୍କ ଠାରୁ ଜାତ ସନ୍ତାନ କିନ୍ନର ହେବ।

ପିଲା ଅଟିଜିମ୍‌ ଆକ୍ରାନ୍ତ ହେବା ଉପରେ ତାଙ୍କର ବ୍ୟାଖ୍ୟା ଯୋଗୁଁ ସେ ସର୍ବସାଧାରଣ ରୋଷର ଶିକାର ହୋଇଛନ୍ତି। ତାଙ୍କ ମତରେ ବାପାମାଆଙ୍କର ଅବାଧ୍ୟପଣିଆ ଯୋଗୁଁ ସନ୍ତାନମାନେ ଏମିତି ଅବସ୍ଥା ହୋଇ ଥାଆନ୍ତି ବୋଲି ସେ କହିଥିଲେ।

ରଜିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ କଲେଜଗୁଡ଼ିକରେ ‘ଆଓ୍ଵାର୍‌ନେସ୍‌ ସେସନ୍‌’ ଏବଂ ‘କାଉନ୍‌ସେଲିଙ୍ଗ୍‌ ସେସନ୍‌’ କଲାବେଳେ ଏମିତି ଉଦ୍ଭଟ ଏବଂ ତ୍ରୁଟିପୂର୍ଣ୍ଣ ବିବୃତି ଦେଇ ପକାନ୍ତି।

କିନ୍ତୁ, ଏଥର କେରଳ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେମାନଙ୍କର କୌଣସି କାର୍ଯ୍ୟକ୍ରମକୁ ଆଉ ରଜିତଙ୍କୁ ନିମନ୍ତ୍ରଣ ନ କରିବାକୁ ଶିକ୍ଷାମନ୍ତ୍ରୀ କେକେ ଶୈଳଜା ସମସ୍ତ ସରକାରୀ ବିଭାଗ ଏବଂ ଏଜେନସିମାନଙ୍କୁ ଏକ ବିବୃତିରେ କହିଛନ୍ତି।

ସମ୍ବନ୍ଧିତ ଖବର