ପରମାଣୁ ନିରସ୍ତ୍ରୀକରଣ, ହରଡ଼ଘଣାରେ କିମ୍‌ ଜଙ୍ଗ୍‌

ସିଓଲ: ଆମେରିକା ଚାପରେ ଉତ୍ତରକୋରିଆକୁ ସଂପୂର୍ଣ୍ଣ ପରମାଣୁ ନିରସ୍ତ୍ରୀକରଣ ରାଷ୍ଟ୍ରଭାବେ ଘୋଷଣା କରିବାକୁ ଶାସକ କିମ୍‌ ଜଙ୍ଗ ଉନ୍‌ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଏହି ପ୍ରତିଶ୍ରୁତି ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ କିମ୍‌ଙ୍କ ମଧ୍ୟରେ ଐତିହାସିକ ଶିଖର ବୈଠକ ମଧ୍ୟ ହେବାକୁ ଯାଉଛି। କିନ୍ତୁ ପରମାଣୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ କରିବା କିମ୍‌ଙ୍କ ପାଇଁ ଏବେ ସୁବଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି।ା ଉତ୍ତରକୋରିଆ ନିକଟରେ ଥିବା ପରମାଣୁ ବୋମାର ସଂଖ୍ୟା ସମ୍ପର୍କରେ ବିଭିନ୍ନ ଦେଶ କେବଳ ଅନୁମାନ କରୁଛନ୍ତି। କିନ୍ତୁ ପ୍ରକୃତରେ କିମ୍‌ କେତେ ପରମାଣୁ ବୋମା ରଖିଛନ୍ତି ସେ ବିଷୟରେ କାହାକୁ ଜଣାନାହିଁ। ଏହାବାଦ୍‌ ୟୁରାନିୟମ ଓ ପ୍ଲୁଟୋନିୟମ ଭଳି ରେଡିଓଆକ୍ଟିଭ୍‌ ପଦାର୍ଥ ଯାହା ପରମାଣୁ ବୋମା ତିଆରିରେ ବ୍ୟବହାର କରାଯାଏ ତାହାର ଖଣି ମଧ୍ୟ ଉତ୍ତରକୋରିଆରେ ରହିଛି। ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମଧ୍ୟ ଉତ୍ତରକୋରିଆ ନିକଟରେ ରହିଛି। ଏହାଛଡ଼ା ଦେଶରେ ଥିବା ଅସ୍ତ୍ରାଗାର ଓ ପ୍ରତିରକ୍ଷା ଗବେଷଣା କେନ୍ଦ୍ରଗୁଡ଼ିକରେ ହଜାର ହଜାର କର୍ମଚାରୀ ଦିନରାତି କାର୍ଯ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ଉତ୍ତରକୋରିଆ ନିଜକୁ ସମ୍ପୂର୍ଣ୍ଣ ପରମାଣୁ ନିରସ୍ତ୍ରୀକରଣ କରିବା ଏତେ ସହଜ ନୁହେଁ ବୋଲି କୁହାଯାଉଛି। ତେବେ ଆମେରିକା ଯଦି ସୁରକ୍ଷା ବ୍ୟବସ୍ଥା ନେଇ କୌଣସି ଭରସାଯୋଗ୍ୟ ପ୍ରତିଶ୍ରୁତି ଦେବ ତା’ହେଲେ ହିଁ ଉତ୍ତରକୋରିଆ ସମସ୍ତ ପରମାଣୁ ବୋମାକୁ ନିଷ୍କ୍ରିୟ କରିବାକୁ ପ୍ରସ୍ତୁତ ବୋଲି କହିସାରିଛି। ଉତ୍ତରକୋରିଆ ଦେଶରେ ଅନେକ ଗୁପ୍ତସ୍ଥାନ ଓ ଖାଦାନ ନିର୍ମାଣ କରି ରଖିଥିବାରୁ ଏହି ସ୍ଥାନରେ ପରମାଣୁ ବୋମା ଓ ରେଡିଓଆକ୍ଟିଭ ପଦାର୍ଥ ଲୁଚାଇପାରେ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର