ନିର୍ବାଚନ ଲଢ଼ିବେ କି ନିର୍ଭୟାଙ୍କ ମା ?

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନକୁ ନେଇ ଏବେ କିଛି ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ କିଏ ଲଢ଼ିବ ତାହାକୁ ନେଇ ରାଜନୈତିକ ଦଳ ଅଙ୍କ କଷୁଥିବାବେଳେ ଏବେ କଂଗ୍ରେସ ନେତା କୀର୍ତ୍ତି ଆଜାଦଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ନିଜ ଟ୍ୱିଟ ମାଧ୍ୟମରେ କୀର୍ତ୍ତି ଦାବି କରିଛନ୍ତି ଯେ ନିର୍ଭୟାଙ୍କ ମା ଆଶା ଦେବୀ କେଜ୍ରିୱାଲଙ୍କ ବିପକ୍ଷରେ କଂଗ୍ରେସ ଟିକଟରୁ ନିର୍ବାଚନ ଲଢ଼ିପାରନ୍ତି | କଂଗ୍ରେସ ନେତା ଟ୍ୱିଟ କରି ଲେଖିଛନ୍ତି ଯେ ଏହି ମାଙ୍କୁ ସଲାମ, ଆଶା ଦେବୀ ଆପଣଙ୍କୁ ସ୍ୱାଗତ | କୀର୍ତ୍ତିଙ୍କ ଏହି ଟ୍ୱିଟ ପରେ ଅନୁମାନ କରାଯାଉଛି ଯେ ଆଶା ଦେବୀ କଂଗ୍ରେସରେ ସାମିଲ ହୋଇଯାଇଛନ୍ତି |


ତେବେ କୀର୍ତ୍ତିଙ୍କ ଏଭଳି ଦାବିକୁ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ସୁବାସ ଚୋପ୍ରା ଖଣ୍ଡନ କରିଛନ୍ତି | ସେ କହିଛନ୍ତି ଯେ ଏ ବାବଦରେ ଏ ଯାଏଁ କୌଣସି ଚର୍ଚ୍ଚା ହୋଇନାହିଁ | ସୁବାସ କହିଛନ୍ତି ଯେ କୀର୍ତ୍ତି ଆଜାଦ ନିର୍ବାଚନ କମିଟିରେ ନାହାନ୍ତି | କେଜ୍ରିୱାଲଙ୍କ ବିପକ୍ଷରେ ନିର୍ବାଚନ ମଇଦାନକୁ କିଏ ଓହ୍ଲେଇବେ ସେ ନେଇ ସ୍ଥିର ହୋଇନାହିଁ |

ଆଶା ଦେବୀ କଂଗ୍ରେସର ପ୍ରାର୍ଥୀ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ | ଏଠାରେ ସୂଚନା ଥାଉ କି ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ଫେବ୍ରୁଆରି ୮ ତାରଖ ଦିନ ଭୋଟ ଗ୍ରହଣ କରାଯିବ ଓ ଫେବ୍ରୁଆରି ୧୧ରେ ଫଳାଫଳ ପ୍ରକାଶ ପାଇବ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ଲଢିବେ | ବୁଧବାର ଚର୍ଚ୍ଚା ହୋଇଥିଲା ଯେ କେଜ୍ରିୱାଲଙ୍କ ବିପକ୍ଷରେ ଲଢେଇ କରିବା ପାଇଁ କଂଗ୍ରେସ ପକ୍ଷରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଝିଅ ଲତିକା ଦୀକ୍ଷିତଙ୍କୁ ପ୍ରାର୍ଥୀ କରାଯାଇପାରେ |

ସମ୍ବନ୍ଧିତ ଖବର