ଲଢ଼ିବା ପାଇଁ ସମ୍ବଳ ନଥିବାରୁ କିଡ୍‌ନୀ ବିକିବାକୁ ନିର୍ବାଚନ କମିସନଙ୍କ ଅମୁମତି ଲୋଡ଼ିଲେ ପ୍ରାର୍ଥୀ

ବାଲାଘାଟ : ଦେଶରେ ଚାଲିଛି ନିର୍ବାଚନୀ ଋତୁ । ନିର୍ବାଚନୀ ହାୱାରେ ଏବେ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି । ଜୋରସୋରରେ ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ । ନିର୍ବାଚନୀ ଋତୁରେ ଏବେ ଚାରିଆଡ଼େ ଟଙ୍କା ଉଡ଼ିବା ସହ ମତଦାତାଙ୍କୁ ଟଙ୍କା ଦେଇ ଲୋଭାନ୍ଵିତ କରୁଛନ୍ତି ପ୍ରାର୍ଥୀ । ଭୋଟରଙ୍କୁ ପ୍ରଭାବିତ କରି ନିଜ ପକ୍ଷକୁ ଆଣିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି ରାଜନେତା । ଭୋଟ୍‌ ପାଇଁ ଟଙ୍କା ଠାରୁ ଆରମ୍ଭ କରି ମଦ ଓ ଦାମୀ ଉପହାର ଦିଆଯାଉଛି । ଯେଉଁଠି ଗୋଟିଏ ପଟେ ନିର୍ବାଚନ ଜିତିବା ପାଇଁ ନେତାମାନେ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନ୍ୟପଟେ ଏପରି ଜଣେ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପାଇଁ ଚାହୁଁଛନ୍ତି, ଯାହାଙ୍କ ହାତରେ ନିର୍ବାଚନ ଳଢ଼ିବା ପାଇଁ ସମ୍ବଳ ନାହିଁ ।

ଟଙ୍କା ନଥିଲେ ବର୍ତ୍ତମାନ ସମୟରେ ନିର୍ବାଚନ ଜିତିବା କେତେ କଷ୍ଟ ସେକଥା ସମସ୍ତଙ୍କୁ ଭଲଭାବରେ ଜଣା । ହେଲେ ଟଙ୍କା ନଥିବାରୁ ମଧ୍ୟପ୍ରଦେଶ ବାଲାଘାଟ ଲୋକସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ କିଶୋର ସମରିତେ ନିର୍ବାଚନ ଲଢ଼ିବା ପାଇଁ ଚାହୁଁଛନ୍ତି । ହେଲେ ନିର୍ବାଚନୀ ଖର୍ଚ୍ଚ ଉଠାଇବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । ତେଣୁ ସେ ନିର୍ବାଚନୀ ଖର୍ଚ୍ଚ ପାଇଁ କିଡ଼ନୀ ବିକ୍ରି କରିବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି ଏବଂ ଏଥିପାଇଁ ନିର୍ବାଚନ କମିସନଙ୍କ ପାଖରୁ ଅନୁମତି ମାଗିଥିବା ଜଣା ପଡ଼ିଛି ।

YThisNews

ଲୋକସଭା ନିର୍ବାଚନ ପାଇଁ କୌଣସି ପ୍ରାର୍ଥୀଙ୍କ ସର୍ବାଧିକ ବ୍ୟୟ ସୀମା ୭୫ଲକ୍ଷ ଟଙ୍କା ରହିଥିବା ବେଳେ ନିର୍ବାଚନ ଳଢ଼ିବା ପାଇଁ ପାଇଁ କିଶୋରଙ୍କ ପାଖରେ ଏତେ ଟଙ୍କା ନାହିଁ । ଅନ୍ୟ ଆଶୟୀ ପ୍ରାର୍ଥୀଙ୍କ ନିକଟରେ ହଜାର ହଜାର କୋଟିର ସମ୍ପତ୍ତି ରହିଥିବାରୁ କିଶୋର ସମରିତେ ନିର୍ବାଚନ କମିସନଙ୍କୁ ୭୫ଲକ୍ଷ ଟଙ୍କା ସାହାଯ୍ୟ ପାଇଁ ଅନୁରୋଧ କରିଥିବା ଜଣା ପଡ଼ିଛି । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ୭୫ଲକ୍ଷ ଟଙ୍କା ସାହାଯ୍ୟ କିମ୍ବା ବ୍ୟାଙ୍କରୁ ଋଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉ ବୋଲି ନିର୍ବାଚନ କମିସନକୁ ଅନୁରୋଧ କରି କହିଛନ୍ତି କିଶୋର ।

ଏପରି ନେହଲେ କିଡ଼ନୀ ବ୍ରିକି କରିବା ପାଇଁ ଅନୁମତି ଦିଆଯାଉ ବୋଲି କିଶୋର ଦାବି କରିଛନ୍ତି । ସୂଚନା ଅନୁସାରେ ୧୦ବର୍ଷ ପରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି କିଶୋର । ନିର୍ବାଚନ ପ୍ରକିୟା ଦିନକୁ ଦିନ ମହଙ୍ଗା ହେବାରେ ଲାଗିଥିବାରୁ ଟଙ୍କା ନଥିବା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଲଢ଼ିବା କଷ୍ଟକର ହୋଇ ପଡ଼ିଛି । ତେଣୁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଉଚିତ ବୋଲି ସେ ଦାବି କରିଛନ୍ତି, ଯଦ୍ୱାରା ସାଧାରଣ ପ୍ରାର୍ଥୀ ବି ନିର୍ବାଚନ ଲଢ଼ିପାରିବେ ।

ସମ୍ବନ୍ଧିତ ଖବର