ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିବା ପଛରେ ବହୁତ ବଡ଼ କାରଣ ରହିଛି। ବିଦେଶରୁ ପ୍ରାୟ ୬୪,୦୦୦ ଭାରତୀୟ କରୋନା ସଂକ୍ରମଣ ସମୟରେ ସ୍ବଦେଶ ଫେରିଥିବାରୁ ଭାରତରେ ସଂକ୍ରମଣ ଅଚାନକ ବଢ଼ିଯିବା ଆଶଙ୍କା ରହିଛି। ଏତେ ସଂଖ୍ୟକ ଭାରତୀୟ କରୋନା ପ୍ରଭାବିତ ରାଷ୍ଟ୍ରରୁ ଭାରତ ଫେରିବା ପରେ ସେମାନଙ୍କୁ ବାଧ୍ୟତାମୂଳକ କ୍ବାରାଣ୍ଟିନ୍ରେ ରଖିବା ସମ୍ଭବ ହୋଇନାହିଁ। ଏ ପର୍ଯ୍ୟନ୍ତ ଅନେକ ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନାହିଁ। ବିଶ୍ବରେ ଏବେ କରୋନା ଯେଭଳି ଅନିୟନ୍ତ୍ରିତ ଭାବେ ବଢ଼ି ଚାଲିଛି ତାହା ଭାରତ ପାଇଁ ମଧ୍ୟ ସତର୍କଘଣ୍ଟି ହୋଇଥିବାରୁ ସରକାର ୨୧ ଦିନ ଲକ୍ଡାଉନ୍ କାର୍ଯ୍ୟକାରୀ କରି ଅତି କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏବେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୦ରେ ପହଞ୍ଚିଥିବାବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଲାଣି।
ୟୁରୋପ୍ ଏବଂ ଆମେରିକାରେ ଠିକ୍ ସମୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହୋଇନଥିବାରୁ ସେଠାରେ ଭୟାନକ ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରି ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ବହୁତ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଟ୍ରେନ୍ ଏବଂ ସଡ଼କ ସେବା ଜାରି ରହିଲେ ଭାରତ ଭଳି ରାଷ୍ଟ୍ରରେ ସଂକ୍ରମଣକୁ ରୋକିବା ସମ୍ଭବ ହୋଇପାରିବ ନାହିଁ ବୋଲି ଜାଣି ଏହାକୁ ଆଗୁଆ ବନ୍ଦ କରାଯାଇଛି। ଲକ୍ଡାଉନ୍ ସମୟ ଭିତରେ ସଂକ୍ରମିତ ଲୋକଙ୍କ ଲକ୍ଷଣ ପଦାକୁ ଆସିିବ ଏବଂ ଅନ୍ୟମାନଙ୍କୁ ଏଥିରୁ ରକ୍ଷା କରିବାପାଇଁ ଉପାୟ ମିଳିବ ବୋଲି କୁହାଯାଇଛି। ଆଇସିଏମ୍ଆର ମୁଖ୍ୟ ବଳରାମ ଭାର୍ଗବ କହିଛନ୍ତି, ଚୀନ୍ ଯେଉଁ ବ୍ୟବସ୍ଥାରେ ଭାଇରସ୍ ନିୟନ୍ତ୍ରଣ କରିବାକୁ ସଫଳ ହୋଇଛି ଭାରତ ତା'ଠାରୁ ଆଗୁଆ ପାରଦର୍ଶୀ ବ୍ୟବସ୍ଥା ଗ୍ରହଣ କରିଛି। ଏବେ ଦେଶରେ ୧,୮୭,୯୦୪ ଲୋକଙ୍କୁ ନିରୀକ୍ଷଣ ବ୍ୟବସ୍ଥାରେ ରଖାଯାଇଛି। ଦେଶର ସମସ୍ତ ହସ୍ପିଟାଲଗୁଡ଼ିକ କରୋନା ମୁକାବିଲା ପାଇଁ ପ୍ରସ୍ତୁତ କରାଯାଉଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟମାନେ ସ୍ବାସ୍ଥ୍ୟସେବା ସଂକ୍ରାନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/market-f.jpg)