ଭାରତ ପାଇଁ ଋଷିଆ କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ଜାଣନ୍ତୁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଋଷିଆର ସହର ସୋଚିରେ ପହଞ୍ଚିଛନ୍ତି । ସେଠାରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ଅଣଔପଚାରିକ ବୈଠକରେ ଯୋଗଦେବେ । ମୋଦି ଓ ପୁଟିନଙ୍କ ମଧ୍ୟରେ ଏହି ଭେଟକୁ କୂଟନୈତିକ ମହଲରେ ବେଶ ଗୁରୁତ୍ୱ ଦିଆଯାଉଛି । କାରଣ ଋଷିଆ ହେଉଛି ଭାରତର ଏକ ପୁରୁଣା ଓ ବେଶ ଭରଷାଯୋଗ୍ୟ ବନ୍ଧୁରାଷ୍ଟ୍ର । ଋଷିଆ ଠାରୁ ଭାରତ ସର୍ବାଧିକ ସାମରିକ ଅସ୍ତ୍ରଶସ୍ତ୍ର କିଣିଥାଏ । ବିପଦ ଆପଦ ସବୁ ସମୟରେ ଏହି ଦେଶ ଭାରତ ପଛରେ ଛିଡା ହୋଇଛି ।

ଗତ କିଛି ବର୍ଷ ଧରି ବିଶ୍ୱରେ ଚୀନର ଆଧିପତ୍ୟ ବଢିବା ଫଳରେ ଭାରତ ଓ ଆମେରିକା ପରସ୍ପରର ନିକଟତର ହୋଇଛନ୍ତି । ଆମେରିକା ନିଜର ପାରମ୍ପରିକ ବନ୍ଧୁରାଷ୍ଟ୍ର ପାକିସ୍ଥାନଠାରୁ ଦୂରେଇ ଭାରତ ସହ ସମ୍ପର୍କ ବୃଦ୍ଧି କରିଛି । କିନ୍ତୁ ଭାରତ-ଆମେରିକା ମଧ୍ୟରେ ସଂପର୍କ ବୃଦ୍ଧି ପାଉଥିବାରୁ ଋଷିଆ ପାକିସ୍ତାନ ସହ ସମ୍ପର୍କ ବଢାଇବା ଆରମ୍ଭ କରିଛି । ୨୦୧୬ରେ ଭାରତର ଚିନ୍ତା ସତ୍ତ୍ୱେ ଋଷିଆ ପାକିସ୍ତାନ ମଧ୍ୟରେ ପ୍ରଥମ ଥର ପାଇଁ ଏକ ସମରାଭ୍ୟାସ କରିଥିଲେ । ଋଷିଆ ମଧ୍ୟ ପାକିସ୍ତାନକୁ ବିଭିନ୍ନ ସାମରିକ ସାମଗ୍ରୀ ଯୋଗାଇବା ଆରମ୍ଭ କରିଛି । ଏହା ଦ୍ୱାରା ଭାରତର ଚିନ୍ତା ବଢିଯାଇଛି । ଋଷିଆ ଯେପରି ପାକିସ୍ତାନ ଆଡକୁ ଅଧିକ ନ ଢଳେ ଓ ଭାରତ-ଋଷିଆ ବନ୍ଧୁତ୍ୱକୁ ଆହୁରି ନିବିଡ କରିବା ମୋଦିଙ୍କ ଗ୍ରସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇପାରେ । ଏହି ଗ୍ରସ୍ତର ଆଉ ଏକ ଉଦ୍ଦେଶ୍ୟ ରହିଛି । ତାହା ହେଉଛି ଋଷିଆ ଠାରୁ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶମାନଙ୍କ ଉପରେ ଆମେରିକା କଟକଣା ଲଗାଉଛି । ଏହି କାରଣରୁ ଭାରତ ଋଷିଆଠାରୁ କିଣୁଥିବା ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଆହୁରି ବିଳମ୍ବିତ ହୋଇପାରେ । ଏହି ସମସ୍ୟାର ସମାଧାନ ଲାଗି ମଧ୍ୟ ଆଲୋଚନା ହୋଇପାରେ । ଏହି କାରଣରୁ ଏହି ଗ୍ରସ୍ତ ଉପରେ ସମସ୍ତଙ୍କ ଆଖି ରହିଛି ।

ସମ୍ବନ୍ଧିତ ଖବର