କୋଲକାତା ଯୁବକଙ୍କ ଇନ୍‌ଷ୍ଟା ପୋଷ୍ଟ ଭାଇରାଲ ହେବା ପରେ ସାମ୍ନାକୁ ଆସିଲା ଦେଶରେ ବେରୋଜଗାରୀର ଚିତ୍ର: ଏମ୍.କମ୍ ପଢ଼ି ହୋଇଛନ୍ତି ଡେଲିଭରି ବଏ

କୋଲକାତା : ଦେଶରେ ବେକାରୀ ସମସ୍ୟା କେତେ ତାହା ସମସ୍ତଙ୍କୁ ଜଣା । ବଡ଼ ବଡ଼ ଡିଗ୍ରିଧାରୀମାନେ ଦିନ ମଜୁରିଆ ଭାବରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ଘଟଣା ଭାରତରେ କିଛି ନୂଆ ନୁହେଁ । ଗତ କିଛି ବର୍ଷ ମଧ୍ୟରେ ଦେଶରେ ବେରୋଜଗାରୀ ସମସ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଅଧିକ ପାଠ ପଢ଼ି ମଧ୍ୟ ଚାକିରି ମିଳୁ ନ ଥିବାରୁ ଯୁବକ-ଯୁବତୀମାନେ ଛୋଟ ମୋଟ କାମ କରିବାକୁ ବାଧ୍ୟ ହେଉଛନ୍ତି । ଯାହାର ଏକ ଉଦାହରଣ କୋଲକାତାରେ ଦେଖିବାକୁ ମିଳିଛି । କୋଲକାତାରେ ରହୁଥିବା ସୌଭିକ୍‌ ଦତ୍ତା ନାମକ ଜଣେ ଯୁବକ ଇନ୍‌ଷ୍ଟାରେ ଏକ ପୋଷ୍ଟ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି ।

ଏକ ଫଟୋ ପୋଷ୍ଟ କରି, ପ୍ରତିଦିନ ଭଳି ମୁଁ ଖାଇବା ଅର୍ଡର କରୁଥିବା ବେଳେ ଜଣେ ଡେଲିଭରି ବଏଙ୍କ ପ୍ରୋଫାଇଲ ମୋ ଆଖି ଆଗକୁ ଆସିଥିଲା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦେଖି ମୁଁ ଚମକି ପଡ଼ିଥିଲି । ତାଙ୍କ ନାଁ ମୀରଜ ଥିବା ବେଳେ ସେ ଏମକମ୍ କରିଥିବା ମୁଁ ଦେଖିଥିଲି । ଏହା ସହ ସେ ଉଭୟ ହିନ୍ଦୀ ଏବଂ ବେଙ୍ଗାଲି ଭାଷାରେ କଥା ହୋଇ ପାରନ୍ତି ବୋଲି ଲେଖା ଯାଇଥିଲା । ଏତେ ପାଠ ପଢ଼ି ମଧ୍ୟ କୌଣସି ଚାକିରି ନ ମିଳିବାରୁ ମୀରଜ ବାଧ୍ୟ ହୋଇ ଡେଲିଭରି ବଏ ହୋଇଥିବା ବେଳେ ତାଙ୍କର ଏହି କାହାଣୀ ଦେଶର ବେକାରୀ ସମସ୍ୟା କେତେ ତାହା ଦେଖାଇଛି । ଦେଶ ଏବଂ ରାଜ୍ୟ ବଦଳିବା ଦରକାର । ଚାକିରି ସୃଷ୍ଟି ହେବା ନିହାତି ଆବଶ୍ୟକ । ଆମେ ଏବେ କଠିନ ସମୟ ଦେଇ ଗତି କରୁଛେ । ଯାହା ବଦଳିବା ଦରକାର ବୋଲି ଲେଖିଥିଲେ ସୌଭିକ୍‌ । କିଛି ଦିନ ତଳେ ଏମ୍‌ବିଏ, ବି.ଟେକ୍‌ ଏବଂ ଏମ୍‌ଟେକ୍‌ କରିଥିବା ଯୁବକମାନେ ଝାଡ଼ୁଦାର କାମ କରୁଥିବା ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର