କୋଲକାତା ପୋଲ ଭଗ୍ନାବଶେଷ ଭିତରୁ ତୃତୀୟ ଶବ ଉଦ୍ଧାର

କୋଲକାତା: ମଙ୍ଗଳବାର ଦିନ ଦକ୍ଷିଣ କୋଲକାତା ଅନ୍ତର୍ଗତ ମାଜେର୍‌ହାଟ୍‌ ପୋଲ ଭୁଶୁଡ଼ି ପଡ଼ିଥିବା ସ୍ଥାନରୁ ଗୁରବାର ସକାଳେ ଆଉ ଏକ ଶବ ଉଦ୍ଧାର କରାଯାଇଛି। ଗତକାଲି ଦ୍ୱିତୀୟ ଶବ ଉଦ୍ଧାର କରାଯାଇଥିଲା। ଏହାକୁ ମିଶାଇ ପୋଲ ଭୁଶୁଡ଼ିବାଜନିତ ମୃତ୍ୟୁସଂଖ୍ୟା ୩ ହେଲା।

ସବୁ ଦିଗରୁ ଘଟଣାର ତଦନ୍ତ କରାଯାଉଛି ବୋଲି ପ୍ରତିଶ୍ରୁତି ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତ ବ୍ୟକ୍ତିଙ୍କ ନିମନ୍ତେ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ମାଜେର୍‌ହାଟ୍‌ ପୋଲ ଭୁଶୁଡ଼ିବା ଘଟଣାରେ ଅନ୍ୟ ଦୁଇ ଆହତଙ୍କ ଅବସ୍ଥା ସାଙ୍ଘାତିକ ଅଛି ବୋଲି ମଧ୍ୟ ସେ କହିଛନ୍ତି।

ସେ ଆହୁରି କହିଛନ୍ତି କି, ବେଙ୍ଗଲ୍‌ରେ ଏମିତି ଆହୁରି ଅନେକ ପୋଲ ରହିଛି ଏବଂ ସରକାର ତା’ର ରେକର୍ଡ ସଂଗ୍ରହ କରିବାକୁ ଉଦ୍ୟମ କରିବା ସହ ଯଥାବିଧି ପଦକ୍ଷେପ ଗ୍ରହଣ କରିବ।

ଏ ବିଷୟରେ ଅଧିକ ଆଲୋଚନା କରିବା ନିମନ୍ତେ ଗୁରୁବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବୈଠକ ଡକାଇଛନ୍ତି।

ମାଜେର୍‌ହାଟ୍‌ ପୋଲ ପରି ପୁରାତନ ପୋଲଗୁଡ଼ିକ ସହ ସଂଶ୍ଳିଷ୍ଟ ଦଲିଲ୍‌ ଏବଂ ରେକର୍ଡ ନ ରଖିଥିବାରୁ ପୂର୍ବତନ ବାମପନ୍ଥୀ ସରକାରଙ୍କୁ ମମତା ବାନାର୍ଜୀ ତୀବ୍ର ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର