କୋଣାର୍କ ମନ୍ଦିର ଓ ସହର ସଂପୂର୍ଣ୍ଣ ରୂପେ ସୌରଶକ୍ତି ଚାଳିତ ହେବ

କେନ୍ଦ୍ର ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା

ନୂଆଦିଲ୍ଲୀ: ଓଡିଶାର କୋଣାର୍କ ମନ୍ଦିର ଓ ସହରକୁ ସଂପୂର୍ଣ୍ଣ ସୌରଶକ୍ତି ଚାଳିତ କରିବା ପାଇଁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜ କୁମାର ସିଂହ କହିଛନ୍ତି ଯେ, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ସହରକୁ ସୂର୍ଯ୍ୟନଗରୀ ଭାବେ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରାଚୀନ ସୂର୍ଯ୍ୟ ମନ୍ଦିର ଓ ଆଧୁନିକ ପ୍ରଣାଳୀରେ ବ୍ୟବହୃତ ସୌରଶକ୍ତିର ଏହା ହେବ ଏକ ଅପୂର୍ବ ସମନ୍ଵୟ ।

ଏହି ଯୋଜନା ଅନୁସାରେ ୧୦ ମେଗାୱାଟ ସଂଯୁକ୍ତ ଏକ ସୌର ପ୍ରକଳ୍ପ ଏବଂ ବିଭିନ୍ନ ଅଫ-ଗ୍ରୀଡ ସୌର ବୃକ୍ଷ, ସୌର ପାନୀୟ ଜଳ କିଓସ୍କ ଇତ୍ୟାଦିର ପରିକଳ୍ପନା କରାଯାଇଛି । କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ଏଥିପାଇଁ ୨୫କୋଟି ଟଙ୍କା ଯୋଗାଇଦେଉଥିବା ବେଳେ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ । ଏହା କାର୍ଯ୍ୟକାରୀ ହେଲେ କୋଣାର୍କ ସହରର ସମସ୍ତ ଶକ୍ତି ଚାହିଦା ସୌର ଶକ୍ତି ମାଧ୍ୟମରେ ପୂରଣ ହୋଇପାରିବ ।

ସମ୍ବନ୍ଧିତ ଖବର