କୋଟାରେ ଶିଶୁମୃତ୍ୟୁ ସଂଖ୍ୟା ୧୦୭ ଛୁଇଁଲା, ନିଜ ସରକାରକୁ ଘେରିଲେ ପାଇଲଟ୍‌

ଜେକେ ଲୋନ୍‌ ଗଲେ କେନ୍ଦ୍ରୀୟ ଟିମ୍‌

କୋଟା: କୋଟାରେ ଶିଶୁମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଜେକେ ଲୋନ୍‌ ଡାକ୍ତରଖାନାରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୭ରେ ପହଞ୍ଚିଲାଣି। ଶିଶୁ ମୃତ୍ୟୁ ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ କଂଗ୍ରେସ ସରକାରକୁ ବିରୋଧୀ ଦଳ ଏବେ ଘେରିଛନ୍ତି। ରାଜସ୍ଥାନ କଂଗ୍ରେସ ସଭାପତି ତଥା ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ମଧ୍ୟ ଏବେ ନିଜ ସରକାରର ଚିନ୍ତା ବଢ଼ାଇ ଦେଇଛନ୍ତି। ପାଇଲଟ୍‌ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ ସମାଲୋଚନା କରି ଶିଶୁ ମୃତ୍ୟୁ ମାମଲାରେ ସରକାର ଉଚିତ ପଦକ୍ଷେପ ନେବାରେ ବ୍ୟର୍ଥ ହୋଇଥିବା କହିଛନ୍ତି। ଏଥିପାଇଁ ସେ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନୀତିକୁ ଦାୟୀ କରିଛନ୍ତି। କୋଟା ଡାକ୍ସରଖାନା ଗସ୍ତ କରିବା ପରେ ପାଇଲଟ୍‌ କହିଛନ୍ତି, ସରକାର ଏହି ପ୍ରସଙ୍ଗରେ ଅଧିକ ସମ୍ବେଦନଶୀଳ ହେବା ଉଚିତ ଏବଂ ପୂର୍ବ ସରକାରକୁ ଦାୟୀ କରିବାର କୌଣସି ଅର୍ଥ ନାହିଁ।

ଡିସେମ୍ବରରେ ଜେକେ ଲୋନ୍‌ରେ ୧୦୦ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଜାନୁଆରିର ପ୍ରଥମ ୪ ଦିନରେ ୭ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ଏହାର ପ୍ରକୃତ କାରଣ ବିଷୟରେ ଅବଗତ ହେବାପାଇଁ କେନ୍ଦ୍ର ସରକାରଙ୍କ ଏକ ଟିମ୍‌ ଏବେ ଜେକେ ଲୋନ୍‌ରେ ଯାଇ ପହଞ୍ଚିଛନ୍ତି। କୋଟା ଡାକ୍ତରଖାନାରେ ଆବଶ୍ୟକ ଉପକରଣ ନଥିବାରୁ ଚିକିତ୍ସାରେ ବାଧା ଉପୁଜୁଛି ବୋଲି ଅଭିଯୋଗ ହୋଇଛି। ଦିଲ୍ଲୀ ଏମ୍ସରୁ ୬ ଜଣିଆ ଡାକ୍ତରୀ ଦଳ ଜେକେ ଲୋନ୍‌ ହସ୍ପିଟାଲର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ଡାକ୍ତରଖାନରେ ପ୍ରାଣ ହରାଇଥିବା କିଛି ଶିଶୁଙ୍କ ପରିବାର ସଦସ୍ୟଙ୍କୁ ‌ଭେଟିଛନ୍ତି। ଓମ୍‌ ବିର୍ଲା କହିଛନ୍ତି, ଡାକ୍ତରଖାନାରେ ମେଡିକାଲ୍‌ ସୁବିଧା ବୃଦ୍ଧି କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ୨ ଥର ଚିଠି ଲେଖିଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ ହୋଇନାହିଁ। ଡାକ୍ତରଖାନାରେ ୧୦୦ରୁ ଅଧିକ ଶିଶୁ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ‌ସହ ‌ନେଇ ଏନ୍‌ଏଚଆରସି (ଜାତୀୟ ମାନବାଧିକାର କମିସନ୍‌) ରାଜସ୍ଥାନର ମୁଖ୍ୟ ସଚିବଙ୍କୁ ଏକ ନୋଟିସ୍‌ କରିଛନ୍ତି। ୪ ସପ୍ତାହ ମଧ୍ୟ‌ରେ ଏ ସଂକ୍ରାନ୍ତ ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ଏନ୍‌ଏଚଆରସି କହିଛନ୍ତି। ରାଜସ୍ଥାନରେ ବୁନ୍ଦିରେ ମଧ୍ୟ ଏକ ଡାକ୍ତରଖାନାରେ ଡିସେମ୍ବରରେ ୧୦ ଶିଶୁଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର