କୁଳଭୂଷଣ ମାମଲା: ଡିସେମ୍ବର ୧୩ ସୁଦ୍ଧା ଜବାବ ରଖିବାକୁ ପାକ୍‌କୁ ଆଇସିଜେର ନିର୍ଦ୍ଦେଶ

କ୍ଷମା ଆବେଦନ ନିଷ୍ପତ୍ତି ଖୁବ୍‌ଶୀଘ୍ର: ପାକ୍‌ ସେନା

ନୂଆଦିଲ୍ଲୀ:  ପାକିସ୍ତାନ ସାମରିକ ଅଦାଲତ ଦ୍ୱାରା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ମୃତ୍ୟୁ ଦଣ୍ଡାଦେଶ  ମାମଲାରେ  ଡିସେମ୍ବରରୁ   ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ରେ ପୁଣି ଶୁଣାଣି ଆରମ୍ଭ ହେବ।  ଏ ବାବଦରେ ଭାରତ ତା’ର ଦଲିଲ ଉପସ୍ଥାପନ କରିସାରିଥିବାରୁ ଡିସେମ୍ବର ୧୩ ସୁଦ୍ଧା ପାକିସ୍ତାନକୁ ଦଲିଲ ଉପସ୍ଥାପନ କରିବା ପାଇଁ ଆଇସିଜେ ସମୟ ଦେଇଛନ୍ତି। ଏହାକୁ ନେଇ ପାକ୍‌ ସରକାର ଓ ସେନା ତତ୍ପର ହୋଇପଡ଼ିଛନ୍ତି। ପାକ୍‌ ଏଟର୍ଣ୍ଣି ଜେନେରାଲ ଅସ୍ତର ଅସଫ୍‌ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଏ ବାବଦ ରଣନୀତି ପ୍ରସ୍ତୁତ କରାଯାଇଛି ।

ପାକିସ୍ତାନ ସେନାର ଜଣେ ପ୍ରବକ୍ତା କହିଛନ୍ତି ଯେ  କୁଳଭୂଷଣଙ୍କ କ୍ଷମା ଆବେଦନ ଏବେ ସେନା ମୁଖ୍ୟଙ୍କ ନିକଟରେ ବିଚାରାଧୀନ ରହିଛି। ଖୁବ୍‌୍‌ଶୀଘ୍ର ଏ ବାବଦରେ ପାକିସ୍ତାନ ତା’ର ନିଷ୍ପତ୍ତି ଶୁଣାଇବ ବୋଲି ସେ କହିଛନ୍ତି। ଆଇସିଜେରେ ଭାରତ ଉପସ୍ଥାପନ କରିଥିବା ଦଲିଲ୍‌ରେ କୁହାଯାଇଛି ଯେ କୁଳଭୂଷଣଙ୍କୁ ପାକିସ୍‌ାନ ଇରାନ୍‌ରୁ ଅପହରଣ କରି ଭାରତକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରିଛି ଏବଂ ତାଙ୍କ ବିରୋଧରେ ଗୁପ୍ତଚରଗିରି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ  ସଂପୃକ୍ତି ନେଇ ମିଥ୍ୟା ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଦେଇଛି। ପାକିସ୍ତାନ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଂଘନ କରି ଜଣେ ପୂର୍ବ ସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିପାରିବ ନାହିଁ ବୋଲି  ଭାରତ  ଦୃଢ଼ ଯୁକ୍ତି ଉପସ୍ଥାପନ କରିଛି। ପୂର୍ବରୁ ଏହି ମାମଲାରେ ଅନ୍ତର୍ଜାତୀୟ ଅଦାଲତ ତାଙ୍କ ରାୟରେ  ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ଉପରେ ରୋକ୍‌ ଲଗାଇଥିବା ବେଳେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଶୁଣାଣି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।  ପାକିସ୍ତାନ ସରକାର  ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତର ରାୟକୁ ଗ୍ରହଣ କରିବ ନାହିଁ ବୋଲି ତୁହାକୁ ତୁହା କହୁଥିବାରୁ ବିବାଦ ବଢ଼ିବାରେ ଲାଗିଛି ।  କୁଳଭୂଷଣ ଯାଦବଙ୍କ ମାମଲା ପାକିସ୍ତାନର ନିଜସ୍ୱ ଆଇନ ଅନୁଯାୟୀ ଚାଲିବ ବୋଲି ପାକିସ୍ତାନ ପୂର୍ବରୁ ବହୁବାର ଘୋଷଣା କରିଛି। ଆଇସିଜେ ରାୟ ବିରୋଧରେ ପାକିସ୍ତାନ ରିଭ୍ୟୁ ପିଟିସନ ଦାଖଲ କରିଥିବା ବେଳେ ଏହି ମାମଲାରେ ସେନା ଏବଂ ସରକାର ମିଳିତ ଭାବେ ଲଢ଼ୁଛନ୍ତି। ତେବେ ଅନ୍ତର୍ଜାତୀୟ ଅଦାଲତର ପୂର୍ବ ରାୟରେ ପାକିସ୍ତାନ ସାମରିକ ଅଦାଲତର ରାୟକୁ  ପ୍ରତ୍ୟାଖ୍ୟାନ କରାଯିବା ସହ  ଅନ୍ତର୍ଜାତୀୟ ଆଇନ କୁଳଭୂଷଣଙ୍କୁ ଫାଶୀ ଦେବାକୁ ଅନୁମତି ଦେଉନାହିଁ ବୋଲି ସ୍ପଷ୍ଟ କରିଥିବାରୁ ପାକ୍‌ ସେନାର ସମସ୍ୟା ବଢ଼ିଯାଇଛି।

କୁଳଭୂଷଣ ଯାଦବଙ୍କୁ  ୩ ମାର୍ଚ, ୨୦୧୬ରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇରାନରୁ ଗିରଫ କରିଥିଲା।  ସେ ବେଆଇନ ଭାବେ ପାକିସ୍ତାନରେ ପଶିବାକୁ ଉଦ୍ୟମ କରୁଥିବା ଦର୍ଶାଇ ପାକିସ୍ତାନ ତାଙ୍କୁ ଗିରଫ କରିଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ଅଭିଯୋଗ କରିଥିଲା। କୁଳଭୂଷଣଙ୍କୁ ଭାରତର ବିଦେଶୀ ଗୁଇନ୍ଦା ସଂସ୍ଥା ‘ର’ର ଏଜେଣ୍ଟ ବୋଲି ପାକିସ୍ତାନ ଦର୍ଶାଇବା ସହ ସାମରିକ ଅଦାଲତ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲା। ଚଳିତ ବର୍ଷ ମେ ୧୫ ତାରିଖରେ ଅନ୍ତର୍ଜାତୀୟ ଅଦାଲତ  କୁଳଭୂଷଣଙ୍କ ଫାଶୀଦଣ୍ଡ ଉପରେ ରହିତାଦେଶ ଲଗାଇଥିଲେ।

ସମ୍ବନ୍ଧିତ ଖବର