କୁଲଗାମ୍‌ରେ ଏନ୍‌କାଉଣ୍ଟର

୨ ଲସ୍କର ଆତଙ୍କବାଦୀ ସମେତ ୩ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସେନାର ଅପରେସନ ଅଲ୍‌ଆଉଟରେ ଆଜି ଆଉ ୨ ଜଣ ଲସ୍କର-ଏ-ତୋଇବା ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଘଟଣାରେ ଅନ୍ୟ ଜଣେ ଆତଙ୍କବାଦୀ ସେନା ନିକଟରେ ଆତ୍ମ ସମର୍ପଣ ମଧ୍ୟ କରିଥିବା ଜଣାପଡ଼ିଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଏଲଇଟି କମାଣ୍ଡର ହୋଇଥିବା ବେଳେ ଆଉ ଜଣଙ୍କର ପରିଚୟ ମିଳିପାରି ନାହିଁ। ଏନକାଉଣ୍ଟର ସ୍ଥଳରେ ସ୍ଥାନୀୟ ଯୁବଗୋଷ୍ଠୀ ପୁଲିସ ଓ ସେନା ଉପରକୁ ପଥର ମାଡ଼ କରିବା ଫଳରେ ଅପରେସନ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସେନା ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିବା ବେଳେ ଗୁଳିମାଡ଼ ମଧ୍ୟ କରାଯାଇଛି। ତେବେ ଗୁଳିମାଡ଼ରେ ଆହତ ହୋଇଥିବା ଜଣେ ୨୩ ବର୍ଷୀୟ ସ୍ଥାନୀୟ ଯୁବକର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ତେବେ ଏହି ଆତଙ୍କବାଦୀଙ୍କ ନିପାତ ପରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଇଣ୍ଟରନେଟ ସେବା ବନ୍ଦ କରାଯାଇଥିବା ଜଣାପଡ଼ିଛି। ଆଜି କଶ୍ମୀରର କୁଲଗାମ୍‌ ସ୍ଥିତ ଚାଦ୍ଦରବାନ୍‌ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀ ଓ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ସେନା ଗୁଳିରେ ଏହି ୨ ଆତଙ୍କବାଦୀ ନିପାତ ହେବା ପରେ ଆଉ କିଛି ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ତେବେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଏଠାରେ କମ୍ବି ଅପରେସନ ଆରମ୍ଭ କରାଯାଇଛି। ଏହି ଘଟଣାରେ କୌଣସି ଯବାନ ମୃତାହତ ହୋଇନଥିବା ଜମ୍ମୁ-କଶ୍ମୀର ଡିଜିପି ଏସ୍‌.ପି.ବୈଦ ସୂଚନା ଦେଇଛନ୍ତି। ଚଳିତମାସ ୨୮ ତାରିଖରେ ଅମରନାଥ ଯାତ୍ରା ହେବାକୁ ଥିବା ବେଳେ ଏହି ରାସ୍ତାରେ ଆତଙ୍କବାଦୀଙ୍କ ଗତିବିଧିକୁ ନିରୀକ୍ଷଣ କରିବା ପାଇଁ ରାଜ୍ୟ ପୁଲିସ୍‌ ଓ ସେନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାପୂର୍ବରୁ ଶୁକ୍ରବାର ଶ୍ରୀଗୁଫାରା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।

ଯବାନଙ୍କ ଶବ ଉଦ୍ଧାର
ଶ୍ରୀନଗର: ଆଜି ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲା ସୁନ୍ଦରବନି ଅଞ୍ଚଳରେ ଜଣେ ଯବାନଙ୍କ ମୃତଦେହ ଠାବ କରାଯାଇଛି। ପଞ୍ଜାବର ଫିରୋଜପୁରରେ ନିୟୋଜିତ ୪୨ ରାଷ୍ଟ୍ରୀୟ ରାଇଫଲ୍ସ ଯବାନ ନିରଜ କୁମାର ଛୁଟିରେ ଘରକୁ ଆସିଥିବା ବେଳେ ଘର ନିକଟରୁ ସନ୍ଦେହଜନକ ଭାବେ ତାଙ୍କ ମୃତଦେହ ଠାବ କରାଯାଇଛି। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ କେଉଁ ପରିସ୍ଥିତିରେ ଯବାନଙ୍କ ମୃତ୍ୟୁ ହୋଇଛି, ତାହା ଏଯାବତ୍‌ ସ୍ପଷ୍ଟ ହୋଇପାରିନାହିଁ। କିଛି ଦିନ ପୂର୍ବରୁ ଏଭଳି ଛୁଟିରେ ଘରକୁ ଆସିଥିବା ଏହି ବାଟାଲିୟନର ଅନ୍ୟ ଏକ ଯବାନ ଔରଙ୍ଗଜେବଙ୍କୁ ଆତଙ୍କବାଦୀମାନେ ଅପହରଣ କରି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର