କର୍ଣ୍ଣାଟକରେ କୁମାରସ୍ୱାମୀ ସରକାର

ଗୋଟିଏ ମଞ୍ଚରେ ବିରୋଧୀ ଏକଜୁଟ

ବେଙ୍ଗାଲୁରୁ: ଜେଡିଏସ୍‌ ନେତା ଏଚ.ଡି. କୁମାରସ୍ୱାମୀ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଜି.ପରମେଶ୍ୱର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ବଜୁଭାଇ ବାଲା କୁମାରସ୍ୱାମୀ ଓ ପରମଶ୍ୱେରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କଂଗ୍ରେସ ଓ ଜେଡିଏସ୍‌ ମଧ୍ୟରେ ମନ୍ତ୍ରିମଣ୍ଡଳ ଭାଗବଣ୍ଟା ସ୍ଥିର ହେବା ପରେ ବାଚସ୍ପତି ଭାବେ କଂଗ୍ରେସ ନେତା କେ.ଆର.ରମେଶ କୁମାରଙ୍କ ନାମ ଚୟନ କରିଥିବା ବେଳେ ଜେଡିଏସରୁ ଜଣେ ଉପ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ତେବେ ଜେଡିଏସ ପକ୍ଷରୁ କିଏ ଉପ ବାଚସ୍ପତି ହେବେ ସେ ନେଇ ସ୍ଥିର କରାଯାଇନାହିଁ। । ଶୁକ୍ରବାର ଆସ୍ଥା ଭୋଟ ହେବା ପରେ ଯାଇ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କ ନାମ ଘୋଷଣା କରାଯିବ ଓ ସେମାନେ ଶପଥ ନେବେ ବୋଲି ଜଣାପଡ଼ିଛି। ଶପଥ ଗ୍ରହଣ ପରେ କୁମାରସ୍ୱାମୀ ଉଦବୋଧନ ଦେଇ କହିଥିଲେ ଯେ, ଏହି ମେଣ୍ଟ ସରକାର ସଫଳ ହେବ ଓ ରାଜ୍ୟରେ କୃଷିଋଣ ଛାଡ଼ କରାଯିବ। କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇବା ସହ କୁମାରସ୍ୱାମୀଙ୍କ ସରକାର କର୍ଣ୍ଣାଟକରେ ଶାନ୍ତି ଓ ବିକାଶ ଆଣିବା ଦିଗରେ କାର୍ଯ୍ୟ କରିବାର ଆଶା ରହିଥିବା ସେ ଲେଖିଛନ୍ତି। ଆଜି ଶପଥ ଗ୍ରହଣ ଉତ୍ସରେ ବହୁ ସଂଖ୍ୟାରେ ଜାତୀୟ ନେତା ଯୋଗ ଦେଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

କର୍ଣ୍ଣାଟକ ବିଧାନସଭା ପରିସରରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଜେଡିଏସ୍‌ ମୁଖ୍ୟ ଏଚ.ଡି.ଦେବେଗୌଡା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ବିଏସ୍‌ପି ସୁପ୍ରିମୋ ମାୟାବତୀ, ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପ୍ରମୁଖ ଯୋଗ ଦେଇଥିଲେ। ହୋଟେଲ ଓ ରିସର୍ଟରେ ରଖାଯାଇଥିବା ବିଧାୟକମାନଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଅଣାଯାଇଥିଲା। ବିଧାୟକମାନଙ୍କୁ ହୋଟେଲରେ ରଖିବା ଓ ସେଠାରୁ ନେବା ଆଣିବା ଦାୟିତ୍ୱ ନେଇଥିବା କଂଗ୍ରେସ ନେତା ଡି.କେ.ଶିବକୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ସେ କେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ନଥିଲେ। ତାଙ୍କ ଦଳ ସରକାରକୁ ଆସିଛି, ତେଣୁ ସବୁ ବିଧାୟକ ଏକଜୁଟ ଅଛନ୍ତି ବୋଲି ଶିବ କୁମାର କହିଥିଲେ। ଉଲ୍ଲେଖଯୋଗ୍ୟ, ଶିବକୁମାରଙ୍କ ସୁଚିନ୍ତିତ ରଣନୀତି ପାଇଁ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ପଦ ଦିଆଯିବା ନେଇ ଚର୍ଚ୍ଚା ହେଉଥିଲା।

ଶକ୍ତି ପରୀକ୍ଷା ଶୁକ୍ରବାର
ବେଙ୍ଗାଲୁରୁ: ଗତ ୧୫ ତାରିଖରେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଘୋଷଣା ହେବା ଦିନଠାରୁ ରାଜ୍ୟ ରାଜନୀତି ନାଟକୀୟ ମୋଡ ଦେଇ ଗତି କରୁଛି। ରାଜ୍ୟରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ହେବା ପରେ ଆଜି ଜେଡିଏସ୍‌ ନେତା ଏଚ.ଡି. କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟ ବିଧାନସଭାରେ ଶୁକ୍ରବାର ଦିନ ସେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ। ଗତ ୧୭ ତାରିଖରେ ବିଜେପି ନେତା ବି.ଏସ୍‌. ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ୧୯ ତାରିଖ ଦିନ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାର ଥିଲା। କିନ୍ତୁ ଆସ୍ଥା ଭୋଟ୍‌ ହେବା ପୂର୍ବରୁ ହିଁ ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ଜୁଟାଇ ନପାରି ୟେଦୁରପ୍ପା ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଜ୍ୟରେ କଂଗ୍ରେସ-ଜେଡିଏସ୍‌ ସରକାର ଗଢ଼ିିବାକୁ ରାଜ୍ୟପାଳ ବଜୁଭାଇ ବାଲା ଆମନ୍ତ୍ରଣ କରିଥିଲେ। ଏବେ ମେଣ୍ଟ ନିକଟରେ ୧୧୫ ବିଧାୟକ ରହିଛନ୍ତି।

ବିଜେପି ପାଳିଲା କଳା ଦିବସ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜେଡିଏସ୍‌-କଂଗ୍ରେସ ମେଣ୍ଟ ସରକାରକୁ ବେଆଇନ ଦର୍ଶାଇଛି ବିଜେପି। ଏଭଳି ସରକାର ଜନାଦେଶ ପ୍ରତି ଅବମାନନା ବୋଲି ବିଜେପି ନେତାମାନେ କହିଛନ୍ତି। ଆଜି ରାଜ୍ୟବ୍ୟାପୀ ବି.ଏସ୍‌.ୟେଦୁରପ୍ପାଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ କଳା ଦିବସ ପାଳନ କରାଯାଇଛି। ତେବେ ଏହି ମେଣ୍ଟ ସରକାର ତିନି ମାସ ବି ତିଷ୍ଠି ପାରିବ ନାହିଁ ବୋଲି ୟେଦୁରପ୍ପା ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କୁ ମଧ୍ୟ ବିଜେପିରେ ଯୋଗ ଦେବା ପାଇଁ ୟେଦୁରପ୍ପା ଆହ୍ଵାନ କରିଛନ୍ତି। ଯଦି ଏହି ନୂଆ ମେଣ୍ଟ ସରକାର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୁଏ ତେବେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯିବ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର