ଜେଟଲୀଙ୍କୁ କ୍ଷମା ମାଗିବା ସହିତ ଅରବିନ୍ଦ କେଜରିଓ୍ଵାଲଙ୍କୁ ଆକ୍ଷେପ କଲେ ଆପ୍‌ ନେତା କୁମାର ବିଶ୍ୱାସ

ନୂଆଦିଲ୍ଲୀ: ଆମ ଆଦ୍‌ମୀ ପାର୍ଟିର ବରିଷ୍ଠ ନେତା କୁମାର ବିଶ୍ୱାସ ଆଜି  ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିରୋଧରେ କରିଥିବା ସମସ୍ତ ଦୁର୍ନୀତି ଅଭିଯୋଗକୁ ପ୍ରତ୍ୟାହାର କରିବା ସହତ ଦିଲ୍ଲୀ ହାଇକୋର୍ଟ ଜରିଆରେ ଅରୁଣ ଜେଟଲୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ରାଜୀବ ସହାୟ ଏହି ୧୦ କୋଟି ଟଙ୍କାର ମାନହାନୀ ମାମଲା ଏହିଠାରେ ଅନ୍ତ ଘଟିଲା ବୋଲିି ଘୋଷଣା କରିଛନ୍ତି। ତେବେ ଏହି କ୍ଷମା ପ୍ରାର୍ଥନା କରିବା କରିବା ଆଳରେ କୁମାର ବିଶ୍ୱାସ ଆପ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି।
କୁମାର ବିଶ୍ୱାସ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଆପ୍‌ର ନେତା ଭାବେ କେଜରିଓ୍ଵାଲ ଶ୍ରୀ ଜେଟଲିଙ୍କ ବିରୋଧରେ ଆଣିଥିବା ସମସ୍ତ ଦୁର୍ନୀତି ଅଭିଯୋଗକୁ ସେ ଅନ୍ଧଭାବେ ବିଶ୍ୱାସ କରିଥିଲେ। କିନ୍ତୁ କେଜରିଓ୍ଵାଲ ନିଜ ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇବା ପାଇଁ ଅତି ତରବରରେ ଶ୍ରୀ ଜେଟଲୀଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି। ଯଦି ଦୁର୍ନୀତି ଅଭିଯୋଗ ପ୍ରମାଣ କରି ପାରି ନ ଥାନ୍ତେ, ତେବେ କେଜରିଓ୍ଵାଲଙ୍କୁ ଜେଲ ଯିବାକୁ ପଡ଼ିଥାନ୍ତା ଓ ଏହା ହୋଇଥିଲେ ତାଙ୍କର ମୁଖ୍ୟମନ୍ତ୍ରୀ ପଦ ସେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦେବାକୁ ପଡ଼ିଥାନ୍ତା। ମାତ୍ର କେଜରିଓ୍ଵାଲ ନିଜ ପଦବି ଛାଡ଼ିବାକୁ ଚାହୁଁ ନ ଥିବାରୁ ଶ୍ରୀ ଜେଟଲୀଙ୍କୁ କ୍ଷମା ମାଗିଛନ୍ତି।

କୁମାର ବିଶ୍ୱାସ ଲେଖିଛନ୍ତି ଯେ ସେ ବିଭିନ୍ନ ନେତାଙ୍କ ବିରୋଧରେ ଦୁର୍ନୀତି ନେଇ ତଥ୍ୟ ସଂଗ୍ରହ କରିଥିବା ସମସ୍ତଙ୍କ ଆପ ନେତାଙ୍କ ଆଗରେ ଦେଖାଇଥିଲେ। ତେଣୁ ସ୍ୱାଭାବିକଭାବେ ଦଳର ନେତାଙ୍କ କଥାକୁ କର୍ମୀଭାବେ ଆମେ ବିଶ୍ୱାସ କରିଥିଲୁ।


ସୂଚନାଯୋଗ୍ୟ ଯେ ଅରବିନ୍ଦ କେଜରିଓ୍ଵାଲଙ୍କ ସହିତ ଆପନେତା ଆଶୁତୋଷ, ସଞ୍ଜୟ ସିଂହ, ରାଘବ ଚଢ଼ା ଓ ଦୀପକ ବାଜପେୟୀ ଅରୁଣ ଜେଟଲୀଙ୍କୁ ଗତ ଏପ୍ରିିଲ ୩ ତାରିଖରେ କ୍ଷମା ପ୍ରାର୍ଥନା କରିଥିବା ବେଳେ କେବଳ କୁମାର ବିଶ୍ୱାସଙ୍କ ବିରୋଧରେ ଅରୁଣ ଜେଟଲିଙ୍କ ୧୦ କୋଟି ଟଙ୍କାର ମାମଲା ଚାଲିଥିଲା। ଏହି ପ୍ରସଙ୍ଗରେ କୁମାର ବିଶ୍ୱାସ କେଜରିଓ୍ଵାଲଙ୍କୁ ପ୍ରଶ୍ନ କରିଛନ୍ତି ଯଦି କେଜରିଓ୍ଵାଲ କ୍ଷମାପ୍ରାର୍ଥନ କଲେ, ତେବେ ସେ କଣ ପୂର୍ବରୁ ଅରୁଣ ଜେଟଲୀଙ୍କ ବିରୋଧରେ କରିଥିବା ଅଭିଯୋଗ ସବୁ ମିଛ ଥିଲା? କେଜରିଓ୍ଵାଲ ଯେଉଁ ଅଭିଯୋଗ କରିଥିଲେ ସେ ସମ୍ପର୍କରେ ତାଙ୍କ ପାଖରେ କୌଣସି କାଗଜପତ୍ର  ନାହିଁ। ସେ କେବଳ ଦଳର ନେତା ଭାବେ କେଜରିଓ୍ଵାଲଙ୍କୁ ବିଶ୍ୱାସ କରି ଦୁର୍ନୀତି ସମ୍ପର୍କରେ ତାଙ୍କ କଥାକୁ ସମର୍ଥନ କରିଥିଲେ ବୋଲି କୁମାର ବିଶ୍ୱାସ କହି ସିଧାସଳଖ ଭାବେ କେଜରିଓ୍ଵାଲଙ୍କୁ ଟାର୍ଗେଟ କରିଛନ୍ତି। କେଜରିଓ୍ଵାଲ କ୍ଷମାପ୍ରାର୍ଥନା କରିବା ପୂର୍ବରୁ ତାଙ୍କ ସହିତ ଯୋଗାଯୋଗ କରି ନ ଥିଲେ।କେଜରିଓ୍ଵାଲଙ୍କ କ୍ଷମାପ୍ରାର୍ଥନା ହେଉଛି ଏମିତି ଏକ କାର୍ଯ୍ୟ ଯେଉଁଠାରେ ସେନାକୁ ଆଗକୁ ଠେଲି ଦେଇ ସେନାଧ୍ୟକ୍ଷ ରଣଭୁମି ଛାଡ଼ି ପଳାଇବା ପରି। କେଜରିଓ୍ଵାଳଙ୍କ ଏଣ୍ଡୁଅ ପରି ଏପରି ରଙ୍ଗପରିବର୍ତ୍ତନ ଘଟଣାକୁ ଶ୍ରୀ ବିଶ୍ୱାସ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର