କୁମ୍ଭମେଳାକୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ମାନ୍ୟତା

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମ୍ମିଳନୀ କୁହାଯାଉଥିବା ପବିତ୍ର କୁମ୍ଭମେଳାକୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରାପ୍ତ ହୋଇଛି। କୁମ୍ଭମେଳାର ମହାନ ପରମ୍ପରା ଓ ଆସ୍ଥା ପାଇଁ ଏହାକୁ ୟୁନେସ୍କାର ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନିତ କରାଯାଇଛି। ୟୁନେସ୍କାର ବିଶ୍ୱ ଐତିହ୍ୟ କମିଟି ଦକ୍ଷିଣ କୋରିଆର ଜେଜୁରେ ଏହାର ଦ୍ୱାଦଶ ସମ୍ମିଳନୀରେ କୁମ୍ଭମେଳାକୁ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଦେଇଛି। ୫୫ ଦିନର ମହାକୁମ୍ଭମେଳା ଯାତ୍ରା ପ୍ରତି ୧୨ ବର୍ଷରେ ଥରେ ଅନୁଷ୍ଠିତ ହୁଏ। ଶେଷ ଥର ପାଇଁ ଆହ୍ଲାବାଦରେ ୨୦୧୩ ମସିହାରେ ଏହି ମେଳା ହୋଇଥିଲା। ପବିତ୍ର ଗଙ୍ଗାନଦୀରେ ବୁଡ଼ ଦେବାଲାଗି ପାଖପାଖି ୧୦ କୋଟି ଲୋକଙ୍କର ସମାଗମ ହୋଇଥାଏ। କୁମ୍ଭମେଳାକୁ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଦେଇ ବିଶ୍ୱ ଐତିହ୍ୟ କମିଟି କହିଛନ୍ତି ଯେ ଏହି ମହା କୁମ୍ଭମେଳା ଏକ ବିବିଧ ସାଂସ୍କୃତିକ ଉତ୍ସବ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏଠାରେ ସବୁ ଧର୍ମର ଲୋକ ଏକଜୁଟ୍‌ ହୋଇଥାନ୍ତି। କୁମ୍ଭମେଳା ସମ୍ପର୍କିତ ଜ୍ଞାନ ଏବଂ ଦକ୍ଷତା ଗୁରୁ ଶିଷ୍ୟ ପରମ୍ପରା ଦ୍ୱାରା ପ୍ରସାରିତ ହୋଇଥାଏ। ସାଧୁ ସନ୍ଥମାନେ ଏନେଇ ସେମାନଙ୍କ ଶିଶ୍ୟଙ୍କୁ ବିଭିନ୍ନ ପାରମ୍ପରିକ ବିଧିବିଧାନର ଶିକ୍ଷା ଦେଇଥାନ୍ତି ବୋଲିି କମିଟି କହିଛନ୍ତି।

ସମ୍ବନ୍ଧିତ ଖବର