ଆରପାରିରେ ଫିଲ୍ମନିର୍ମାତା କୁନ୍ଦନ ଶାହ

ମୁମ୍ବାଇ: ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ କୁନ୍ଦନ ଶାହଙ୍କର ଆଜି ୬୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଡାର୍କ କମେଡି ‘ଜାନେ ଭି ଦୋ ୟାରୋ’ ପାଇଁ ବେଶ୍‌ ଜଣାଶୁଣା କୁନ୍ଦନଙ୍କର ଆଜି ସକାଳେ ତାଙ୍କ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ୧୯୪୭ ଅକ୍ଟୋବର ୧୯ରେ ଜନ୍ମ ହୋଇଥିବା ଶାହ ପୁଣେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆରେ ନିର୍ଦ୍ଦେଶନା ବିଷୟବସ୍ତୁ ଉପରେ ଅଧ୍ୟୟନ କରିଥିଲେ। ୧୯୮୩ ମସିହାରେ ସେ ଜାନେ ଭି ଦୋ ୟାରୋରୁ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ। ଡାଇରେକ୍ଟର ଭାବେ ଏହି ପ୍ରଥମ ଫିଲ୍କ ପାଇଁ ସେ ପ୍ରଥମ ଏବଂ ଏକମାତ୍ର ପୁରସ୍କାର- ଇନ୍ଦିରା ଗାନ୍ଧୀ ପୁରସ୍କାର ଜିତିଥିଲେ। ଜାନେ ଭି ଦୋ ୟାରୋ ପରେ ସେ ଟେଲିଭିଜନରେ ଟିଭି ଶୋ’ ନୁକ୍କଡ୍‌ରେ ଡେବ୍ୟୁ କରିଥିଲେ। ୮୦ ଦଶକର ସବୁଠାରୁ ଲୋକପ୍ରୀୟ ଟିଭି ସିରିୟଲ ନୁକ୍କଡ୍‌ ପାଇଁ ସେ ବେଶ୍‌ ଲୋକପ୍ରୀୟ ହୋଇଥିଲେ। ଏହାପରେ ସେ ୧୯୯୩ରେ ପୁଣିଥରେ ଶାହରୁଖଙ୍କ ଅଭିନିତ ଫିଲ୍ମ ‘କଭି ହାଁ କଭି ନା’ସହ ବଲିଉଡ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଶାହଙ୍କ ଅଚାନକ ମୃତ୍ୟୁ ପାଇଁ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର