ବାଦୁଡ଼ି ନୁହେଁ; ନିପା ଭାଇରସ୍‌ ସଂକ୍ରମଣର ଅସଲ କାରଣ ଅନ୍ୟ କେହି

ନୂଆଦିଲ୍ଲୀ: ଭୋପାଳସ୍ଥିତ ‘ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାଇ ସିକ୍ୟୁରିଟି ଆନିମଲ୍‌ ଡିଜିଜେସ୍‌’ ଠାରେ ୨୧ଟି ବାଦୁଡ଼ିଙ୍କ ରକ୍ତ ଓ ସେରମ୍‌ ନମୁନା ପରୀକ୍ଷା କରାଯିବା ପରେ ଭୂତାଣୁ ସଂକ୍ରାନ୍ତରେ ନେଗେଟିଭ୍‌ ରେଜଲ୍ଟ ଆସିବାରୁ ମାରାତ୍ମକ ନିପା ଭୂତାଣୁର ସଂକ୍ରମଣର କାରଣ ରହସ୍ୟମୟ ହୋଇ ଉଠିଛି।

ପ୍ରଥମେ କେରଳରେ ନିପା ଭୂତାଣୁ ବ୍ୟାପିବା ଯୋଗୁଁ ୧୨ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ୨୦ ଜଣ ପୀଡ଼ିତ ହୋଇଛନ୍ତି।
ଏବେ ସ୍ୱାସ୍ଥ୍ୟ ଅଧିକାରୀମାନେ ନିପା ଭାଇରସ୍‌ କାରଣରୁ ପ୍ରଥମେ ମୃତ୍ୟୁ ମୁଖରେ ପଡ଼ିଥିବା ମୂସା ପରିବାରର ୨୬ ବର୍ଷିୟ ମହମ୍ମଦ ସବିତଙ୍କ ଭ୍ରମଣ ଇତିବୃତ୍ତ ଅନୁଶୀଳନ କରିବେ। ମୂସା ପରିବାରରେ ଅନ୍ୟ ଚାରିଜଣ ମଧ୍ୟ ଏହି ଭୂତାଣୁ ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଥିଲେ।

ତା’ର ମାଆ କହନ୍ତି: ସେ ସାଉଦି ଆରବରୁ ଘରକୁ ଫେରିଥିଲା। ସେଠାରେ ସେ ହେଲ୍‌ପର୍‌ ଭାବେ କାମ କରୁଥିଲା। ତା’ର ପେଟ ଖରାପ ହୋଇଥିଲା।

ମୂସାଙ୍କ ଚଙ୍ଗାରୋତ ଗାଁ’ରେ ଥିବା କୂଅରୁ ଫଳାହାରୀ ବାଦୁଡ଼ି ଦେଖିବା ପରେ ସେମାନେ ଭାବିଥିଲେ ସମସ୍ୟାର ସମାଧାନ ହୋଇଗଲା। କାରଣ ଫଳାହାରୀ ବାଦୁଡ଼ି ନିପା ଭୂତାଣୁର ପ୍ରାକୃତିକ ବାହକ। ସେମାନଙ୍କ ଠାରୁ ଏହି ଭୂତାଣୁ ଅନ୍ୟାନ୍ୟ ଜନ୍ତୁ ଏବଂ ମାନବଙ୍କ ଶରୀରକୁ ପ୍ରବେଶ କରିଥାଏ। ତେଣୁ ପରୀକ୍ଷା ନିମନ୍ତେ ଭୋପାଳସ୍ଥିତ ଭାରତର ସବଶ୍ରେଷ୍ଠ ପ୍ରାଣୀ ପରୀକ୍ଷା ଲାବରୋଟାରିକୁ ସେମାନଙ୍କର ରକ୍ତ ଓ ସେରମ୍‌ ପଠାଯାଇଥିଲା।

ସେଠାକୁ ପଠାଯାଇଥିବା ୨୧ଟିଯାକ ନମୁନାର ନେଗେଟିଭ୍‌ ରେଜଲ୍‌ଟ ବାହାରିଛି। ବାଦୁଡ଼ିଙ୍କ ରକ୍ତ ନମୁନା ସହ ଗାଈ, ଛେଳି, ଠେକୁଆ, କୁକୁର ଓ ବିରାଡ଼ି ଆଦି ଗୃହପାଳିତ ଜନ୍ତୁମାନଙ୍କ ଠାରୁ ନିଆଯାଇଥିବା ରକ୍ତ ନମୁନାରୁ ମଧ୍ୟ ନେଗେଟିଭ୍‌ ରେଜଲ୍‌ଟ୍‌ ବାହାରିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଶେଷଜ୍ଞମାନେ କହନ୍ତି: ଏହା ପ୍ରାଥମିକ ଫଳାଫଳ ହୋଇଥିବାରୁ ଏ ସଂକ୍ରାନ୍ତରେ ଅଧିକ ଗବେଷଣା ଆବଶ୍ୟକ।

ସମ୍ବନ୍ଧିତ ଖବର