ଶ୍ରମିକଙ୍କ ପୁଅ ହେଲେ ସେନା ଅଫିସର

ଆମେରିକାରେ ଚାକିରି, ଆଇଆଇଏମ୍‌ ଛାଡ଼ି

ଡେରାଡୁନ: ଦୈନିକ ଶହେ ଟଙ୍କା ମଜୁରିରେ ହାଇଦ୍ରାବାଦର ଏକ ସିମେଣ୍ଟ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବରନାନା ଗୁନ୍ନାୟଙ୍କ ପୁଅ ବରନାନା ୟଡ଼ଗିରି ତାଙ୍କ ପ୍ରତିଭା ଓ ପରାକାଷ୍ଠା ବଳରେ ସଫଳତା ଓ ଦେଶପ୍ରେମର ଅପୂର୍ବ ଉଦାହରଣ ସୃଷ୍ଟି କରିଛନ୍ତି। ୟଡ଼ଗିରି ଆମେରିକାରେ ଆକର୍ଷଣୀୟ ଚାକିରୀ ଏବଂ ଆଇଆଇଏମ୍‌ ଛାଡ଼ି ଭାରତୀୟ ସେନାର ଅଫିସର ଭାବେ ଗତକାଲି ଦାୟିତ୍ୱ ଗ୍ରହଣ କରିଛନ୍ତି। ଡେରାଡୁନ ସ୍ଥିତି ଇଣ୍ଡିଆନ୍‌ ମିଲିଟାରି ଏକାଡେମିରୁ ସମ୍ମାନଜନକ ରୌପ୍ୟ ପଦକ ହାସଲ କରିଥିବା ୟଡ଼ଗିରିଙ୍କୁ ସେନା ୟୁନିଫର୍ମରେ ଗତକାଲି ଦେଖିବା ପରେ ଗୁନ୍ନାୟ ଭାବପ୍ରବଣ ହୋଇଉଠିଥିଲେ ଏବଂ ଏହା ତାଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷଣ ବୋଲି କହିଛନ୍ତି। ଦିନ ମଜୁରିଆ ଗୁନ୍ନାୟ ଗତକାଲି ପର୍ଯ୍ୟନ୍ତ ତାଙ୍କ ପୁଅ ଭାରତୀୟ ସେନାର କମିସନ୍‌ଡ ଅଫିସର ହୋଇଥିବା ଜାଣିନଥିଲେ। ହାଇଦ୍ରାବାଦର ଇଣ୍ଟରନ୍ୟାସନାଲ ଇନ୍‌୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌୍‌ଫର୍ମେସନ ଟେକ୍‌ନୋଲୋଜିରେ ସଫ୍‌୍‌ଟେଓ୍ଵର ଇଂଜିନିୟରିଂ କରିଥିବା ୟଡ଼ଗିରି କହିଛନ୍ତି- ମୋ ବାପା ଜଣେ ଅତି ସାଧାରଣ ମଣିଷ। ସେ ଭାବିଥିଲେ ମୁଁ ମଧ୍ୟ ସେନାରେ ଜଣେ ସାଧାରଣ ଯବାନ ହେବାକୁ ଯାଉଛି। ସେ ମତେ କହିଥିଲେ ସେନାରେ ଯୋଗଦେବାପାଇଁ ଆମେରିକାରେ ସଫଟ୍‌େଓ୍ଵର ଇଂଜନିୟର ଚାକିରି ଛାଡ଼ିବା ଏକ ଭୁଲ୍‌ ପଦକ୍ଷେପ। କିନ୍ତୁ ସେନାରେ ଅଫିସର ହେବାକୁ ମୁଁ ସଂକଳ୍ପ ନେଇଥିଲି ଏବଂ ତାହା ସାକାର ହୋଇଛି ବୋଲି ୟଡ଼ଗିରି କହିଛନ୍ତି। କର୍ପୋରେଟ୍‌ ଜଗତରେ ବିପୁଳ ଅର୍ଥ ରୋଜଗାର ଅପେକ୍ଷା ଦେଶସେବା ହିଁ ମୋ ପାଇଁ ସବୁଠାରୁ ବଡ଼ ଆକର୍ଷଣ ବୋଲି ସେ କହିଛନ୍ତି।

ସେନାରେ ଯୋଗଦେବା ପୂର୍ବରୁ ୟଡ଼ଗରି ଇନ୍ଦୋର ଆଇଆଇଏମ୍‌ରେ ଦାଖିଲାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ। ସେ କ୍ୟାଟ୍‌ ପରୀକ୍ଷାରେ ୯୩.୪ ପ୍ରତିଶତ ମାର୍କ ହାସଲ କରିଥିଲେ। ୟଡ଼ଗିରି ସେନାର ଇଂଜିନିୟରିଂ ୟୁନିଟ୍‌ରେ ଯୋଗ ଦେଇଛନ୍ତି। ଇଣ୍ଡିଆନ ମିଲିଟାରି ଏକାଡେମୀରେ ଟେକ୍‌୍‌ନିକାଲ ଗ୍ରାଜୁଏସନ କୋର୍ସରେ ପ୍ରଥମ ସ୍ଥାନ ହାସଲ କରିବା ପରେ ତାଙ୍କୁ ସିଲଭର ମେଡାଲରେ ସମ୍ମାନିତ କରାଯାଇଛି । ୟଡ଼ଗିରି କହିଛନ୍ତି- ମୁଁ ଏଭଳି ଦିନ ଦେଖିଛି, ଯେତେବେଳେ ଦିନ ସାରା କଠୋର ପରିଶ୍ରମ କରି ମୋ ବାପା କେବଳ ୬୦ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଥିଲେ। ମୋ ମା’ ଏକ କାର୍ଯ୍ୟାଳୟରେ ସଫେଇ କାମରେ ନିୟୋଜିତ ହୋଇ କିଛି ଅର୍ଥ ରୋଜଗାର କରୁଥିଲେ। ତେବେ ମୁଁ ମୋ ହୃଦୟର କଥାରେ ପରିଚାଳିତ ହୋଇଥିଲି ଏବଂ ଏବେ ଦେଶର ସେବା କରିବାକୁ ରାସ୍ତା ବାଛି ନେଇଛି।

ସମ୍ବନ୍ଧିତ ଖବର