ଡେରାଡୁନ : ହାଇଦ୍ରାବାଦର ଏକ ସିମେଣ୍ଟ କାରଖାନାରେ ଦିନକୁ ମାତ୍ର ୧୦୦ ଟଙ୍କା ମଜୁରୀରେ କାମ କରୁଥିବା ଦିନମଜୁରିଆ ବର୍ନାନା ଗୁନୟାଙ୍କ ଆଖିରୁ ଆଜି ଲୁହ ଝରିବା ବନ୍ଦ ହେଉନାହିଁ । ତେବେ ସେ କୌଣସି ଦୁଃଖରେ ପଡି ଲୁହ ଝରାଉ ନାହାନ୍ତି, ଏହା ଆନନ୍ଦର ଅଶ୍ରୁ । କାରଣ ତାଙ୍କ ପୁଅ ବର୍ନାନା ୟେଦଗିରି ଆଜି ଭାରତୀୟ ମିଲିଟାରୀ ଏକାଡେମୀରେ ଜଣେ ଅଫିସର ଭାବେ ପାସିଙ୍ଗ୍ ଆଉଟ୍ ପ୍ୟାରେଡ୍ କଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଅତି ସରଳ ଜୀବନଯାପନ କରୁଥିବା ଗୁନୟା ଗତ କାଲି ପର୍ଯ୍ୟନ୍ତ ଜାଣି ନଥିଲେ ଯେ ତାଙ୍କ ପୁଅ ଭାରତୀୟ ସେନାରେ ଜଣେ ଅଫିସର ଭାବେ ସେବା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି । ତାଙ୍କ ପୁଅ ୟେଦଗିରି ଭାରତୀୟ ସେନାରେ ଯୋଗ ଦେବା ପୂର୍ବରୁ ହାଇଦ୍ରାବାଦସ୍ଥିତ ଟ୍ରିପଲ ଆଇଟିରୁ ପାଶ କରିବା ପରେ ଏକ ଆମେରିକୀୟ କମ୍ପାନିରେ ମୋଟା ଦରମାରେ ସଫ୍ଟଓ୍ଵାର ଇଂଜିନିୟରଭାବେ ଚାକିରି ପାଇଥିଲେ । କ୍ୟାଟ୍ ପରୀକ୍ଷାରେ ୯୩.୪ ପ୍ରତିଶତ ମାର୍କ ରଖି ଆଇଆଇଏମ ଇନ୍ଦୋରରେ ପଢିବାର ସୁଯୋଗ ମଧ୍ୟ ପାଇଥିଲେ । କିନ୍ତୁ ସେ ଏକ ବିଦେଶୀ କମ୍ପାନିରେ ମୋଟା ଦରମା ପାଇ ଆରାମରେ ରହିବା ଅପେକ୍ଷା ଦେଶମାତୃକାର ସେବା ପାଇଁ ଆଗେଇ ଆସିଲେ ଓ ଆଇଏମଏରେ ଯୋଗ ଦେବାକୁ ପସନ୍ଦ କଲେ ।
“ ମୋ ବାପା ଜଣେ ଅତି ସରଳ ଲୋକ । ସେ ଭାବୁଥିଲେ ଯେ ମୁଁ ଭଲ ଚାକିରି ଛାଡି ଜଣେ ସୈନିକ ହେବାକୁ ଯାଉଛି ବୋଲି । ଏଣୁ ସେ ମୁଁ ଭୁଲ କରୁଛି ବୋଲି ଭାବୁ ଥିଲେ । ଏବେ ସେ ମୋର ସଫଳତାରେ ବେଶ ଖୁସି ଅଛନ୍ତି” କହିଛନ୍ତି ୟେଦଗିରି ।