ଯୌତୁକ ଲୋଭ: ବରବେଶ ସାଜିଲେ ମହିଳା, ଦୁଇ ମହିଳାଙ୍କୁ ବିବାହ ପରେ ଧରାପଡ଼ିଲେ

ଡେରାଡୁନ୍‌: ଯୌତୁକ ପାଇବା ଲୋଭରେ ଜଣେ ଯୁବତୀ ବରବେଶ ସାଜି ଦୁଇ ଦୁଇ ଥର କନ୍ୟାଗ୍ରହଣ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଜଣେ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେଇଥିବା ଉତ୍ତରପ୍ରଦେଶର ଏହି ପୁରୁଷବେଶୀ ଯୁବତୀକୁ ପୁଲିସ ଗିରଫ କରିବା ପରେ ସବୁ କାରନାମା ଧରାପଡ଼ିଛି।

ପୁଲିସ ସୂଚନାନୁଯାୟୀ, ଉତ୍ତରପ୍ରଦେଶର  ବିଜନୋର ଜିଲ୍ଲା ଅନ୍ତର୍ଗତ ଧାମପୁରର କୃଷ୍ଣା ସେନ ଓରଫ ସ୍ୱିଟି ନିଜକୁ ପୁରୁଷ ଭାବେ ଦର୍ଶାଇ ୨୦୧୩ରେ ଏକ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଖୋଲିଥିଲା। ସେଥିରେ ମଧ୍ୟ ନିଜ ଫଟୋକୁ ଏକ ପୁରୁଷ ଭଙ୍ଗୀରେ ଉଠାଇ ଛାଡ଼ିଥିଲା। ଏହା ପରେ ସେ ବିଭିନ୍ନ ଯୁବତୀଙ୍କ ସହ  ସୋସିଆଲ୍‌ ମିଡିଆରେ ଚାଟିଂ କରିବା ଆରମ୍ଭ କରି ଉତ୍ତରପ୍ରଦେଶର  ହାଲଦ୍ୱାନି ଜିଲ୍ଲା ଅନ୍ତର୍ଗତ କାଠଗୋଦାମ ଅଞ୍ଚଳର ଜଣେ ଯୁବତୀଙ୍କ ସହ ବନ୍ଧୁତା ଜମେଇଥିଲା। ଏପରିକି ୨୦୧୪ରେ ସ୍ୱିଟି ପୁରୁଷ ବେଶରେ ଉକ୍ତ ଯୁବତୀଙ୍କ ଘରଲୋକଙ୍କୁ ଭେଟି ସେ ଜଣେ ବଡ଼ ବ୍ୟବସାୟୀଙ୍କ ପୁଅ ବୋଲି ପରିଚୟ ଦେବା ସହ ତାଙ୍କ ଝିଅକୁ ବାହା ହେବାକୁ ପ୍ରସ୍ତାବ ଦେଇଥିଲା। ବେଶଭୁଷାରୁ ସେମାନେ କିଛି ଠଉରେଇପାରିନଥିଲେ। ଶେଷରେ ସେହି ଯୁବତୀଙ୍କୁ ସେ ବାହା ବି ହୋଇଥିଲା। ତେବେ ବିବାହ ପରେ ସେ ପତ୍ନୀ ଉପରେ ନିର୍ଯାତନା ଆରମ୍ଭ କରିବା ସହ ନିଜେ ଜଣେ ଉଚ୍ଚ ଶିକ୍ଷିତ ଦର୍ଶାଇ ଏକ କାରଖାନା ସ୍ଥାପନ ପାଇଁ ମୋଟା ଯୌତୁକ ଦାବି କରିଥିଲା। ଏପରିକି ନିର୍ଯାତନା ଧମକ ଦେଇ ଶ୍ୱଶୁର ଘରୁ ସେ ସାଢ଼େ ୮ ଲକ୍ଷ ଟଙ୍କା ମଧ୍ୟ ଝଡ଼େଇଥିଲା। ପରେ  ସ୍ୱିଟି ଅନୁରୂପ ଭାବେ କଳାଧୁଙ୍ଗି ସହରର ଅନ୍ୟ ଜଣେ ଯୁବତୀଙ୍କୁ ଫସାଇ ୨୦୧୬ରେ ତାଙ୍କୁ ମଧ୍ୟ ବିବାହ କରିଥିଲା। ଦ୍ୱିତୀୟ ବିବାହ ବେଳେ ପ୍ରଥମ ପତ୍ନୀ ନିର୍ଯାତନା ଭୟରେ ଜଣେ ଅତିଥି ସାଜିଥିଲେ। ହାଲଦ୍ୱାନିର ତିକୋଣିଆ ଅଞ୍ଚଳରେ ଏକ ଭଡ଼ା ଘର ନେଇ ସ୍ୱିଟି ଉଭୟ ପତ୍ନୀଙ୍କୁ ରଖିଥିଲା। ମାତ୍ର କେତେବେଳେ କୌଣସି ପତ୍ନୀ ସହ ଶାରୀରିକ ସମ୍ପର୍କ ନରଖି ଯୌନ ଖେଳନା ମାଧ୍ୟମରେ ସେମାନଙ୍କ ସମ୍ଭୋଗ ଲାଳସା ମେଣ୍ଟାଉଥିଲା। ତେବେ ସେ ପୁରୁଷ ନୁହେଁ ବୋଲି ଦ୍ୱିତୀୟ ପତ୍ନୀ ଜାଣିପାରିଥିଲେ ହେଁ ତାଙ୍କୁ ଅର୍ଥ ଲୋଭ ଦେଖାଇ ଚୁପ୍‌ କରିଦେଇଥିଲା। ଅପରପକ୍ଷେ, ପ୍ରଥମ ପତ୍ନୀ ପ୍ରତି ଯୌତୁକ ନିର୍ଯାତନା ବଢ଼ିଚାଲିଥିଲା। ଶେଷରେ ପ୍ରଥମ ପତ୍ନୀଙ୍କ ଅଭିଯୋଗ କ୍ରମେ ପୁଲିସ ସ୍ୱିଟିକୁ ଗିରଫ କରିବା ପରେ ସବୁ କଥା ପଦାକୁ ଆସିଛି।

ସମ୍ବନ୍ଧିତ ଖବର