ଲାଲୁଙ୍କ ଜାମିନ ଆବେଦନ ଖାରଜ:ଜେଲ୍‌ରୁ ମୋଦୀଙ୍କ ବିରୋଧରେ ବର୍ଷିଲେ ଲାଲୁ

ନୂଆଦିଲ୍ଲୀ: କୋଟି କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍‌ଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଆଜି ସୁପ୍ରିମ‌କୋର୍ଟରେ ଖାରଜ ‌ହୋଇଯାଇଛି। ଏହାଦ୍ବାରା ଆରଜେଡିରେ ନୈରାଶ୍ୟ ଖେଳି ଯାଇଛି। ଲାଲୁ ଜେଲ୍‌ରୁ ମୁକୁଳିବାପରେ ନିର୍ବାଚନ ସଂକ୍ରାନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତେ ବୋଲି କୁହାଯାଉଛି। କିନ୍ତୁ ଲାଲୁଙ୍କ ଜାମିନ ଆବେଦନ କୋର୍ଟରେ ଖାରଜ ହୋଇଯିବା ପରେ ଆରଜେଡିକୁ ଆଜି ଶକ୍ତ ଝଟ୍‌କା ଲାଗିଛି।
ଉଲ୍ଲେଖଯୋଗ୍ୟ ଆଜି କୋର୍ଟରେ ଲାଲୁଙ୍କ ଜାମିନ ଆବେଦନକୁ ସିବିଆଇ ପକ୍ଷରୁ ଦୃଢ଼ ବିରୋଧ କରାଯାଇଥିଲ। ସେ ଜାମିନରେ ବାହାରିଲେ ତୁରନ୍ତ ରାଜନୈତିକ କାର୍ଯ୍ୟକଳାପରେ ଲାଗି ପଡ଼ିବେ ବୋଲି ସିବିଆ‌ଇ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି । ଏନେଇ ସିବିଆଇ ପକ୍ଷରୁ ସୁପ୍ରିମକୋର୍ଟ‌ରେ ଏକ ସତ୍ୟପାଠ ମଧ୍ୟ ଦାଖଲ ହୋଇଛି। ତେବେ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଆଜି ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବାପରେ ଲାଲୁଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।
ଲାଲୁଙ୍କ ଆଇନଜୀବୀ କପିଲ୍‌ ଶିବଲ୍‌ ଆଜି କୋର୍ଟରେ ତାଙ୍କ ପକ୍ଷ ରଖି ପଚାରିଥିଲେ ଲାଲୁଙ୍କୁ ଜାମିନ ମିଳିଲେ କି ବିପଦ ରହିଛି। ତେ‌ବେ ଏହାର ଉତ୍ତରରେ ଖଣ୍ଡପୀଠ କହିଥିଲେ ଯେ ଲାଲୁ ଦୋଷୀ ସାବ୍ୟସ୍ତ ହେବା ଛଡ଼ା ଅନ୍ୟ କୌଣସି ବିପଦ ନାହିଁ। ଅନ୍ୟପକ୍ଷେ ଆଜି ଲାଲୁ ଜେଲ୍‌ ମଧ୍ୟରେ ଥାଇ ମୋଦୀଙ୍କ ବିରୋଧରେ ବର୍ଷିଛନ୍ତି। ମୋଦୀ ସରକାରକୁ ସେ ‘ନୌଟଙ୍କି ସରକାର’ ବୋଲି କହିଛନ୍ତି। ଲାଲୁ ଜେଲ୍‌ରୁ ଟ୍ବିଟ୍‌ ମାଧ୍ୟମରେ ଏକ ଚିଠି ଜାରି କରି ମୋଦୀ ସରକାରକୁ ସମାଲୋଚନା କରି କହିଛନ୍ତି ଯେ ମୋଦୀ ସରକାର କ୍ଷମତାରେ ରହିବାପାଇଁ ବିଭାଜନକାରୀ ନୀତି ଧରିଛି।

ସମ୍ବନ୍ଧିତ ଖବର