ପୁଅ ତେଜପ୍ରତାପ ଯୋଗୁଁ ଏ ବର୍ଷ ଛଟ ପୂଜା କରିବେ ନାହିଁ ରାବଡ଼ିି ଦେବୀ

ପାଟନା : ତେଜପ୍ରତାବ ଯାଦବଙ୍କ ଛାଡପତ୍ର ମାମଲା ଲାଲୁ-ରାବଡ଼ି ପରିବାରରେ ଏକ ଝଡ଼ ସୃଷ୍ଟି କରିଛି । ନିଜ ନବବିବାହିତା ପତ୍ନୀଙ୍କୁ ଛାଡପତ୍ର ଦେବାପାଇଁ ତେଜପ୍ରତାପଙ୍କ ଜିଦ ଯୋଗୁୁଁ ଉଭୟ ଲାଲୁ ଓ ରାବଡ଼ି ଦେବୀ ବେଶ ଚିନ୍ତାରେ ଅଛନ୍ତି । ଗୋଟିଏ ପଟେ ଜେଲରେ ଥାଇ ଚିକିତ୍ସିତ ହେଉଥିବା ଲାଲୁଙ୍କ ଟେନସନ ବଢିଯାଇଥିବାବେଳେ ରାବରି ଦେବୀ ମଧ୍ୟ ଚିନ୍ତାରେ । ଏଥିପାଇଁ ସେ ଏ ବର୍ଷ ଛଟ ପୂଜା ପାଳନ କରିବେ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଛାଡପତ୍ର ମାମଲାରେ ପରିବାରର ସମର୍ଥନ ନମିଳିଲେ ଘରକୁ ଫେରିବେ ନାହିଁ ବୋଲି ତେଜପ୍ରତାପଙ୍କ ଧମକ ପରେ ସ୍ଥିତି ଅଧିକ ଜଟିଳ ହୋଇଛି । ସୂଚନାଯୋଗ୍ୟ ମାତ୍ର ୬ ମାସ ତଳେ ବିବାହ କରିଥିବା ଲାଲୁଙ୍କ ବଡ଼ପୁଅ ତେଜପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଛନ୍ତି । ପତ୍ନୀଙ୍କ ସହ ମନ ମିଶୁନଥିବାରୁ ସେ ତାଙ୍କଠାରୁ ଅଲଗା ହେବାପାଇଁ ଚାହୁଁଛନ୍ତି ବୋଲି କୋର୍ଟଙ୍କୁ ଜଣାଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ଇଚ୍ଛା ବିରୋଧରେ ଏହି ବିବାହ ହୋଇଥିଲା । ସେ ଜଣେ ସରଳ ସିଧାସାଧା ଲୋକ, କିନ୍ତୁ ତାଙ୍କ ପତ୍ନୀ ଏଶ୍ୱର୍ଯ୍ୟା ଜଣେ ଦିଲ୍ଲୀରେ ପଢିଥିବା ଆଧୁନିକା ସହରୀ ମହିଳା । ତାଙ୍କ ସହ ମନ ମିଳିପାରି ନଥିଲା । ଏଣୁ ସେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛି ।

ସମ୍ବନ୍ଧିତ ଖବର