ଜେଲରେ କିପରି କଟିଲା ଲାଲୁଙ୍କ ପ୍ରଥମ ରାତି: ନୂଆ ନାମ କଏଦୀ ନମ୍ବର ୩୩୫୧ ଓ ଠିକଣା ବିର୍ସାମୁଣ୍ଡା ଜେଲ

ପାଟନା/ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲା ଅନ୍ତର୍ଗତ ଦେଓଘର କୋଷାଗାର ମାମଲାରେ ଶନିବାର ସିବିଆଇର ସ୍ୱତନ୍ତ୍ର କୋର୍ଟରେ ଜଜ ଶିବପାଲ ସିଂହ ଏହି ମାମଲାର ରାୟ ଶୁଣାଇଥିଲେ। ଲାଲୁଙ୍କୁ ଗୋଟିଏ ମାମଲାରେ ଭାରତୀୟ ଦଣ୍ଡ ସଂହିତା ଧାରା ୪୦୭, ୪୬୭, ୪୬୮, ୪୦୯ ଆଦିରେ ଦୋଷୀ ସାବ୍ୟସ୍ତ କରାଯାଇଛି। ରାୟ ପ୍ରକାଶ ପାଇବା ପରେ ଲାଲୁ ପ୍ରସାଦ ଯାଦବଙ୍କୁ ସିଧା ରାଞ୍ଚିସ୍ଥିତ ବିର୍ସାମୁଣ୍ଡା ଜେଲକୁ ନିଆଯାଇଥିଲା। ତେବେ ୨୦୧୮ ଜାନୁଆରି ୩ ତାରିଖ ଦିନ ଲାଲୁଙ୍କୁ ଦଣ୍ଡ ଶୁଣାଯିବ।

ଜେଲରେ ଲାଲୁଙ୍କ ରାତି କିପରି କଟିଲା

ବିଳାସବ୍ୟସନ ଜୀବନ କାଟୁଥିବା ଲାଲୁ ପ୍ରସାଦଙ୍କ ଜେଲରେ ପ୍ରଥମ ରାତି ବିଛଣାରେ କଡ ଲେଉଟାଇ ପାହି ଯାଇଛି। ଅଧ ରାତିରେ ଯାଏଁ ସେ ବିଛଣାରେ ବସି ରହିଥିଲେ। ସକାଳ ହେଲା ପରେ ତାଙ୍କୁ ବିସ୍କୁଟ ସହିତ ଚା’ ଖାଇବାକୁ ଦିଆଯାଇଥିଲା। କେବଳ ଏତିକି ନୁହେଁ ତାଙ୍କୁ ଜେଲ ପରିସର ମଧ୍ୟରେ ରନ୍ଧା ଯାଉଥିବା ବ୍ୟଞ୍ଜନ ଓ ରୁଟି ଖାଇବାକୁ ଦିଆଯିବ।

ଜେଲରେ ଲାଲୁଙ୍କୁ ରହିବା ପାଇଁ ଯେଉଁ କୋଠରୀ ଦିଆଯାଇଛି ତାହା ଅନ୍ୟ କଏଦୀମାନଙ୍କ ଭଳି ନୁହେଁ, ତାଙ୍କୁ ଭିଆଇପି କୋଠରୀ ଦିଆଯାଇଛି। ଯେଉଁଥିରେ ଆଟାଚ ଟଏଲେଟ ଓ ବାଥ୍‌ରୁମ୍‌ ରହିଛି। ଲାଲୁଙ୍କୁ ଗୋଟିଏ ଚୌକି, କମ୍ବଳ, ତକିଆ, ମସୁରି ଓ ଗୋଟିଏ ଟିଭି ଦିଆଯାଇଛି। ଲାଲୁଙ୍କର ଏବେ ନୂଆ ନାମ ହେଉଛି କଏଦୀ ନମ୍ବର ୩୩୫୧ ଓ ଠିକଣା ବିର୍ସାମୁଣ୍ଡା ଜେଲ ବୋଲି କୁହାଯାଉଛି।

ଲାଲୁଙ୍କ ବୟସକୁ ଦେଖି ତାଙ୍କ ଓକିଲ କୋର୍ଟରେ ବିଶେଷ ଆବେଦନ କରିବା ପରେ ଲାଲୁଙ୍କୁ ଜେଲରେ ଏହି ସୁବିଧା ମିଳିଛି। ଲାଲୁ ଜେଲ ଯିବା ପରେ ତାଙ୍କ ପୁଅ ତେଜସ୍ୱୀ ଯାଦବ ଜେଲ ପ୍ରବନ୍ଧକଙ୍କୁ ବାପା ପିନ୍ଧିବା ପାଇଁ କୁର୍ତ୍ତା-ପାଇଜାମ ଓ ଗରମ ପୋଷାକ ସହିତ ଔଷଧ ବି ଦେଇଥିଲେ। ଜେଲରେ ଲାଲୁ କାହାରି ସହିତ କଥା ହେଉ ନାହାନ୍ତି। ପୁରା ସମୟ ଗୁମ୍‌ସୁମ୍‌ ହୋଇ ରହୁଛନ୍ତି।

ଆଜି ରବିବାର ହୋଇଥିବାରୁ ଲାଲୁଙ୍କ ସହିତ କୌଣସି ବାହାର ବ୍ୟକ୍ତିଙ୍କୁ ଭେଟିବାର ଅନୁମତି ଦିଆଯାଇ ନଥିଲା। ଲାଲୁଙ୍କୁ ତାଙ୍କ ପରିବାର ଲୋକ ସୋମବାର ଭେଟିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ୯୦୦ କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତିରେ ଫସିଥିବା ଲାଲୁଙ୍କ ବିରୋଧରେ ୭ଟି ମାମଲା ରୁଜୁ ହୋଇଛି। ସେଥିରୁ ଗୋଟିଏ ମାମଲାରେ ୬ବର୍ଷ ଜେଲ ଦଣ୍ଡ ମିଳି ସାରିଛି। ଲାଲୁଙ୍କ ବିରୋଧରେ ଅନ୍ୟ ୫ଟି ମାମଲାରେ ଶୁଣାଣି ଜାରି ରହିଛି।

ମାମଲାର ଶୁଣାଣି ସିବିଆଇ କୋର୍ଟରେ ୧୯୯୬ରୁ ଚାଲିଛି। ସିବିଆଇ ୧୦୦ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରି ସାରିଛି। ଅନେକ କାଗଜପତ୍ର କୋର୍ଟରେ ଦାଖଲ କରିଛି। ଅଭିଯୁକ୍ତଙ୍କ ତରଫରୁ ମଧ୍ୟ ସାକ୍ଷୀମାନେ ବୟାନ ଦେଇଛନ୍ତି। ଉଭୟ ପକ୍ଷରୁ ସାକ୍ଷୀମାନଙ୍କ ବୟାନ ଶୁଣାଯିବା ପରେ ରାୟ ପାଇଁ ତାରିଖ ର୍ନିଦ୍ଦିଷ୍ଟ ହୋଇଛି।

ସମ୍ବନ୍ଧିତ ଖବର