ଲାଲୁ କହିଲେ, ‘ଜେଲ୍‌ରେ ବହୁତ ଥଣ୍ଡା!’ ଜଜ୍‌ କହିଲେ, ‘ତାବଲା ବଜାଅ!’

ପାଟନା: ‘ଭେଟେରାନ୍‌’ ରାଜନେତା ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ସ୍ୱଭାବରେ ବନ୍ଧା! କୌଣସି ପରିସ୍ଥତିରେ ତାଙ୍କୁ କେବେ ବି ବିଚଳିତ ହୋଇପଡ଼ିବା ଦେଖିବାକୁ ମିଳି ନ ଥାଏ। ସବୁବେଳେ ସେ ତାଙ୍କର କୌତୁକିଆ ମିଜାଜ୍‌ ଓ ଅନ୍ଦାଜ୍‌ରେ ମସଗୁଲ୍‌ ଥାଆନ୍ତି। ଆଜି ବି ଲାଲୁଙ୍କର ଏହିପରି କୌତୁକିଆ ମିଜାଜ୍‌ ଓ ଅନ୍ଦାଜ୍‌ ଦେଖିବା ପାଇଁ ମିଳିଥିଲା ସିବିଆଇର ସ୍ୱତନ୍ତ୍ର ଅଦାଲତରେ। କୋର୍ଟରୁମ୍‌ରେ ଲାଲୁଙ୍କ କୌତୁକିଆ କଥାର ଉତ୍ତର ମଧ୍ୟ ସିବିଆଇ ଜଜ୍‌ ଦେଇଥିଲେ କୌତୁକିଆ ଢ଼ଙ୍ଗରେ।

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁଙ୍କୁ ଆଜି ଦଣ୍ଡର ପରିମାଣ ଶୁଣାଇ ଥାଆନ୍ତେ ସିବିଆଇ ଜଜ୍‌। ତେବେ, କୌଣସି କାରଣରୁ ଏହାକୁ ଆସନ୍ତାକାଲିକୁ ସ୍ଥଗିତ ରଖି ଦେଇଥିଲେ ଜଜ୍‌। ଏହି ପରିପ୍ରେକ୍ଷୀରେ ଜଜ୍‌ ଲାଲୁଙ୍କୁ ପଚାରିଲେ, ‘ଆଚ୍ଛା କାଲି କୋର୍ଟ ରୁମ୍‌କୁ ଆସି ଦଣ୍ଡର ପରିମାଣ ଶୁଣିବେ ନା ଭିଡିଓ କନ୍‌ଫରେନ୍‌ସିଂରେ ଦଣ୍ଡର ପରିମାଣ ଶୁଣାଇଦେବି?’ ଜଜ୍‌ଙ୍କ ଏ ପ୍ରସ୍ତାବ ଶୁଣିବା ପରେ ଲାଲୁ ତାଙ୍କ କୌତୁକିଆ ଅନ୍ଦାଜ୍‌ରେ କହିଲେ, ‘ନା! ଜେଲ୍‌ରେ ବହୁତ ଥଣ୍ଡା! ଏଠିକୁ ଆସିବି।’ ଲାଲୁଙ୍କ କଥା ଶୁଣି ଜଜ୍‌ କହିଲେ, ‘ହଉ ଯଦି ଥଣ୍ଡା ପ୍ରବଳ ହେଉଛି, ତେବେ ତାବଲା ବଜାଅ!’

http://infoelections.com

ଆଜିର ଶୁଣାଣି କାଳରେ ସିବିଆଇ ଜଜ୍‌ ଯେତେବେଳେ ଲାଲୁଙ୍କୁ ଲକ୍ଷ୍ୟ କରି କହିଲେ, ଏହି ମାମଲାରେ ଆର୍‌ଜେଡି ମୁଖ୍ୟ ଦାୟିତ୍ୱପୂର୍ଣ୍ଣ ଭାବେ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି, ସେତେବେଳେ ଲାଲୁ ତାଙ୍କ ଶୈଳୀରେ ଉତ୍ତର ରଖିଥିଲେ, ‘ମୁଁ ବି ଜଣେ ଓକିଲ।’ ଉଲ୍ଲେଖଯୋଗ୍ୟ ଲାଲୁ ପାଟନା ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଡିଗ୍ରି ହାସଲ କରିଛନ୍ତି।

ଆଜିର ଶୁଣାଣି ପରେ କୋର୍ଟ ରମ୍‌ରୁ ପୁଲିସ୍‌ ହେପାଜତ୍‌ରେ ଯାଉ ଯାଉ ଲାଲୁ ଜଜ୍‌ଙ୍କୁ ଅନୁରୋଧ କରି କହିଲେ, ‘ଟିକେ ଥଣ୍ଡା ମୁଣ୍ଡରେ ବିଚାର କରିବେ!’ ଏହା ଶୁଣି ଜଜ୍‌ କହିଲେ, ହଉ କାଲିକି ଦେଖିବା!

ସମ୍ବନ୍ଧିତ ଖବର