ଆସନ୍ତା ମାସରେ ଲାଲୁଙ୍କ ପୁଅ ତେଜପ୍ରତାପ ଐଶ୍ୱର୍ଯ୍ୟା ରାୟଙ୍କୁ ବାହା ହୋଇ ପାରନ୍ତି

ପାଟନା: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ପୁଅ ତେଜପ୍ରତାପଙ୍କ ପାଇଁ ଶେଷରେ ପାତ୍ରୀଟିଏ ପାଇଛନ୍ତି। ସେ ଆର୍‌ଜେଡି ବିଧାୟକ ତଥା ବିହାରର ପୂର୍ବତନ ପରିବହନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କର ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରି ପାରନ୍ତି।

ଚନ୍ଦ୍ରିକା ରାୟ ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରାୟଙ୍କ ପୁଅ। ଏପ୍ରିଲ୍‌ ୧୮ ତାରିଖ ଦିନ ପାଟନାର ମୌର୍ଯ୍ୟ ହୋଟେଲ୍‌ରେ ନିର୍ବନ୍ଧ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ବାହାରଘର ସମ୍ଭବତଃ ମେ ୧୨ ତାରିଖରେ ଅନୁଷ୍ଠିତ ହେବ।

ବିହାରର ସରନ ଜିଲ୍ଲା ଅନ୍ତର୍ଗତ ପାର୍ସା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ହେଉଛନ୍ତି ଚନ୍ଦ୍ରିକା ରାୟ।

ଦାରୋଗା ଥିଲେ ବିହାରର ୧୦ମ ମୁଖ୍ୟମନ୍ତ୍ରୀ। ଫେବ୍ରୁଆରି ୧୬, ୧୯୭୦ରୁ ଡିସେମ୍ବର ୨୦, ୧୯୭୦ ଯାଏଁ ସେ ମୁଖ୍ୟମନ୍ତ୍ରୀ ପଦବୀରେ ଥିଲେ। ତାଙ୍କ ପୁଅ ଚନ୍ଦ୍ରିକାଙ୍କର ତିନିଟି ପିଲା। ସେଥିରୁ ଦୁଇଟି ଝିଅ ଗୋଟିଏ ପୁଅ। ଏବେ ଚନ୍ଦ୍ରିକାଙ୍କର ପରିବାର ଦିଲ୍ଲୀରେ ବସବାସ କରୁଛନ୍ତି।

ଐଶ୍ୱର୍ଯ୍ୟା ପାଟନାରୁ ସ୍କୁଲ୍‌ ପଢ଼ା ଶେଷ କରି ଦିଲ୍ଲୀରେ ସ୍ନାତକୋତ୍ତର କରିଛନ୍ତି।

ଆର୍‌ଜେଡି ବିଧାୟକ ତଥା ମୁଖପାତ୍ର ଶକ୍ତି ସିଂହ ଯାଦବ କହିଛନ୍ତି ଯେ ବିବାହ ପାଇଁ ଏକ ଆନୁଷ୍ଠାନିକ ତାରିଖ ଘୋଷଣା କରାଯିବ। ଲାଲୁଙ୍କ ପରିବାର ଏହି ଘୋଷଣା କରିବେ।

ଶକ୍ତି କହିଛନ୍ତି: ଲାଲୁଜୀ ମଧ୍ୟ ତେଜପ୍ରତାପଙ୍କ ନିର୍ବନ୍ଧରେ ଯୋଗ ଦେବେ। ତାଙ୍କୁ ଶୀଘ୍ର ନ୍ୟାୟ ମିଳିବ। ମୁଁ ଲାଲୁଜୀଙ୍କର ଘନିଷ୍ଠ, କିନ୍ତୁ ତାଙ୍କ ପରିବାର ଏ ଖବରକୁ ନିଶ୍ଚିନ୍ତ କରିବେ।

ସମ୍ବନ୍ଧିତ ଖବର