ମନାଲିରେ ଭୂସ୍ଖଳନ: ଫସିଛନ୍ତି ୨୦୦୦ ପର୍ଯ୍ୟଟକ

ମନାଲି: ମନାଲି ନିକଟରେ ଥିବା ମର୍‌ହି- ଚୋଦାହ ମୋର୍‌ ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଭୂସ୍ଖଳନ ହେବା ଫଳରେ ରାସ୍ତା ଅବରୋଧ ହୋଇ ପ୍ରାୟ ୨୦୦୦ ପର୍ଯ୍ୟଟକ ଫସି ରହିଛନ୍ତି। ସୂଚନା ଅନୁଯାୟୀ, ୪୦୦୦ ପର୍ଯ୍ୟଟକଙ୍କୁ ନେଇ ୧୧୧୫ଟି ଗାଡ଼ି ମର୍‌ହି ଅଭିମୁଖେ ମନାଲିରୁ ବାହାରିଥିଲେ। ମନାଲି ଠାରୁ ମର୍‌ହି ୩୪ କିଲୋମିଟର ଦୂର ହୋଇଥିବା ବେଳେ ରହତଙ୍ଗ ନିକଟର ଭୂସ୍ଖଳନ ଘଟି ରାସ୍ତା ଅବରୋଧ ହୋଇଥିଲା। ଏବେ ରହତଙ୍ଗ ପର୍ଯ୍ୟନ୍ତ ଯାତ୍ରା ବନ୍ଦ ଥିବାରୁ ପର୍ଯ୍ୟଟକମାନଙ୍କୁ ମର୍‌ହି ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯାଉଛି। ତେବେ ଶୁକ୍ରବାର ସନ୍ଧ୍ୟାରେ ବର୍ଷା ଏବଂ ତୁଷାରପାତ ଫଳରେ ଭୂସ୍ଖଳନ ହୋଇଥିଲା। ଉକ୍ତ ଅଞ୍ଚଳରେ ବରଫ ତରଳୁଥିବାରୁ ଭୂସ୍ଖଳନ ଘଟୁଛି। ଏଥିଯୋଗୁଁ ପର୍ବତରୁ ପଥର ଓ ମାଟି ଖଣ୍ଡ ଖସି ରାସ୍ତା ଅବରୋଧ ହୋଇଛି। ସୂଚନା ଅନୁଯାୟୀ, ଏହି ଭୂସ୍ଖଳନ ଯୋଗୁଁ ପ୍ରବଳ ଥଣ୍ଡାରେ ୫୦୦ ଗାଡ଼ିରେ ଥିବା ୨୦୦୦ ପର୍ଯ୍ୟଟକ ସେଠାରେ ଅଟକି ରହିଛନ୍ତି। ରାସ୍ତା ସଫା କରିବାକୁ ବୋର୍ଡ଼ର ରୋଡ଼ ଅର୍ଗାନାଇଜେସନ୍‌ର ସମସ୍ତ ମେସିନ ନିୟୋଜିତ ହୋଇଛି। ତେବେ ସ୍ଥାନୀୟ ପ୍ରଶାସନ ରାସ୍ତା ସଫା କରିବା ପାଇଁ ତତ୍କାଳ ପଦକ୍ଷେପ ନେବାରେ ସମର୍ଥ ହୋଇନାହିଁ। ପୂର୍ତ୍ତ ବିଭାଗ ମଧ୍ୟ ଜେସିବି ମେସିନ ଯୋଗାଡ କରିବାରେ ବିଫଳ ହେବାରୁ ଗୋଟିଏ ବେସରକାରୀ ସଂସ୍ଥାକୁ ଅନୁରୋଧ କରାଯାଇଥିବା ଜଣାପଡିଛି। ଇତି ମଧ୍ୟରେ କିଛି ପର୍ଯ୍ୟଟକ ଚାଲି ଚାଲି ପର୍ବତ ତଳକୁ ଆସିଥିବା ବେଳେ ଅନ୍ୟମାନେ ଉପାୟ ନପାଇ ସେଠାରେ ଅଟକି ରହିଛନ୍ତି।

ସମ୍ବନ୍ଧିତ ଖବର