ଚନ୍ଦ୍ରଯାନ-୨ର ସଫଳ ଉତ୍କ୍ଷେପଣ ପରେ ଆଜି ଭାବପ୍ରବଣ ହୋଇଉଠିଥିଲେ ଇସ୍ରୋ ମୁଖ୍ୟ କେ. ଶିବନ। ଯାନ୍ତ୍ରିକ ତ୍ରୁଟିକୁ ସୁଧାରି ଏହାକୁ ସଫଳତାର ସହ ପ୍ରକ୍ଷେପଣ କରିବା ଏକ ବିଶାଳ ଚ୍ୟାଲେଂଜ ଥିଲା। ଆମ ଟିମ୍ ଏହି ଚ୍ୟାଲେଂଜକୁ ଗ୍ରହଣ କରି ଆଜି ଇତିହାସ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ଶିବନ। ଚନ୍ଦ୍ରଯାନ-୨ ଟିମ୍ ସପ୍ତାହେ ହେଲା ଅହରହ କାମ କରୁଥିଲେ ଏବଂ ଘରକୁ ବି ଯାଇ ନଥିଲେ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି। ତେବେ ଚନ୍ଦ୍ରଯାନ ଯେଉଁ ସମୟରେ ଅବତରଣ କରିବ, ସେତେବେଳେ ୧୫ ମିନିଟ୍ ଆମ ପାଇଁ ଚ୍ୟାଲେଞ୍ଜ୍ର ସମୟ ହେବ ବୋଲି ଶିବାନ କହିଛନ୍ତି। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ ଏକ ବିରାଟ ଚ୍ୟାଲେଂଜ ବୋଲି ମତ ଦେଇ ସେ କହିଛନ୍ତି ଯେ ଏ କ୍ଷେତ୍ରରେ ଶତ ପ୍ରତିଶତ ସଫଳ ହେବା ଦିଗରେ କୌଣସି ଉଦ୍ୟମକୁ ହାତଛଡ଼ା କରାଯାଇ ନାହିଁ। ଜିଏସ୍ଏଲ୍ଭି ଏମ୍କେ-୩ ରକେଟ୍ ଆଜି ତା’ର କମାଲ୍ ଦେଖାଇଛି ଏବଂ ପୂର୍ବାପେକ୍ଷା ଏହାର କାର୍ଯ୍ୟ ଦକ୍ଷତା ବଢ଼ିଯାଇଛି ବୋଲି ସେ କହିଛନ୍ତି।