ଚେକ୍‌-ଇନ୍‌ ଲଗେଜ୍‌ରେ ଲ୍ୟାପ୍‌ଟପ୍‌ ନିଷିଦ୍ଧ ହୋଇପାରେ

ନୂଆଦିଲ୍ଲୀ: ବିମାନ ଯାତ୍ରା କାଳରେ ଲାପ୍‌ଟପ୍‌ ଭଳି ବୃହତ୍‌ ‘ପର୍ସନାଲ୍‌ ଇକ୍ଟ୍ରୋନିକ୍‌ ଡିଭାଇସ୍‌’ (ପିଇଡି)ଗୁଡ଼ିକୁ ଖୁବ୍‌ ଶୀଘ୍ର ଚେକ୍‌-ଇନ୍‌ ବ୍ୟାଗ୍‌ରେ ନିଷିଦ୍ଧ କରାଯାଇ ପାରେ ବୋଲି ସୂଚନା ମିଳୁୁଛି। କାରଣ, ସେଥିରେ ଲାଗିଥିବା ବ୍ୟାଟେରିଗୁଡ଼ିକ ବିସ୍ଫୋରଣ ଘଟି ନିଅାଁ ଧରୁଥିବାରୁ ବିଭିଷିକା ସୃଷ୍ଟି କରିବାର ସମ୍ଭାବନା ରହିଛି। ‘ପିଇଡି’ ଅଗ୍ନିକାଣ୍ଡର ମୁକାବିଲା କରିବାକୁ ସମ୍ପ୍ରତି କ୍ୟାବିନ୍‌ କ୍ରୁମାନଙ୍କୁ ତାଲିମ ଦିଆଯାଇଛି। ଭିତରେ ରଖା ଯାଇଥିବା ଯାତ୍ରୀମାନଙ୍କର ହ୍ୟାଣ୍ଡ୍‌ ବ୍ୟାଗ୍‌ରୁ ଧୂଅାଁ ନିର୍ଗତ ହେଉଥିବା ଦେଖିଲାକ୍ଷଣି ସେମାନେ ବିହିତ ପଦକ୍ଷେପ ଗ୍ରହଣ କରିବେ। ଏଇ ଗତ ସପ୍ତାହରେ ଦିଲ୍ଲୀ-ଇନ୍ଦୋର୍‌ ଯାଉଥିବା ଏକ ବିମାନରେ ଏକ ମୋବାଇଲ୍‌ ଫୋନ୍‌ରେ ନିଅାଁ ଲାଗିଯାଇଥିଲା। ତାହାକୁ କ୍ୟାବିନ୍‌ କ୍ରୁମାନେ ତୁରନ୍ତ ନିର୍ବାପିତ କରିବାରେ ସମର୍ଥ ହୋଇଥିଲେ।

Photo Courtesy of HT

ଆନ୍ତର୍ଜାତିକ ବିମାନ ଚଳାଚଳ ଏଜେନ୍‌ସିମାନେ ଚେକ୍‌-ଇନ୍‌ ବ୍ୟାଗ୍‌ରେ ବୃହତ୍‌ ‘ପିଇଡି’ ନେବା ନିଷିଦ୍ଧ କରିବା ବିଷୟ ବିଚାର କରୁଛନ୍ତି। କୌଣସି ଅଗ୍ରଣୀ ବିମାନ ଚଳାଚଳ ଏଜେନ୍‌ସି ନିଷିଦ୍ଧାଦେଶ ଲାଗୁ କରିବା ପରେ ଭାରତ ମଧ୍ୟ ତାହାକୁ ଅନୁସରଣ କରିବ ବୋଲି ‘ଡିଜିସିଏ’ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହା ଭିତରେ ଭାରତରେ ଚେକ୍‌-ଇନ୍‌ ବ୍ୟାଗ୍‌ରେ ପାଓ୍ଵାର୍‌ ବ୍ୟାଙ୍କ୍‌, ପୋର୍ଟାବ୍ଲ୍‌ ମୋବାଇଲ୍‌ ଚାର୍ଜର୍‌ ଏବଂ ଇ-ସିଗାରେଟ୍‌ ଆଦି ନିଷିଦ୍ଧ ହୋଇ ସାରିଛି।

Photo Courtesy of BBC.Com

‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସିଭିଲ୍‌ ଏଭିଏସନ୍‌ ଅର୍ଗାନାଇଜେସନ୍‌’ (ଆଇସିଏଓ)ର ବିପଜ୍ଜନକ ସାମଗ୍ରୀ ପାନେଲ୍‌ ପାସେଞ୍ଜର୍‌ ଏବଂ କ୍ରୁ’ମାନେ ନେଉଥିବା ‘ପିଇଡି’ ସଂକ୍ରାନ୍ତରେ ଏକ ଓ୍ଵାର୍କିଙ୍ଗ୍‌ ପେପର୍‌ ଉପରେ ପରୀକ୍ଷା ନିରୀକ୍ଷା କରୁଛନ୍ତି। ଚେକ୍‌-ଇନ୍‌ ବ୍ୟାଗ୍‌ରେ ରଖାଯାଉଥିବା ‘ପିଇଡି’ ଯୋଗୁଁ ନିରାପତ୍ତା ବିପନ୍ନ ହେଉଥିବା କଥା ସେମାନେ ବିଚାର କରିବା ପରେ କହିବେ। ଆମେରିକାନ୍‌ ଫେଡେରାଲ୍‌ ଏଭିଏସନ୍‌ ଆଡ୍‌ମିନିଷ୍ଟ୍ରାସନ୍‌ (ଏଫ୍‌ଏଏ) ତାହାର ପରୀକ୍ଷା ଫଳ ଏହି ଆଇସିଏଓ ପେପର୍‌ରେ ଦାଖଲ କରିଛି। ସେମାନେ ଉପସଂହାରେରେ ଲେଖିଛନ୍ତି ଯେ, ବିମାନରେ ଯାଉଥିବାବେଳେ ହ୍ୟାଣ୍ଡ୍‌ବ୍ୟାଗ୍‌ରେ ‘ପିଇଡି’ ରଖାଗଲେ ତାହା ବିମାନଟିକୁ ନଷ୍ଟ କରି ଦେଇ ପାରେ।

Photo Courtesy of The Australian

ସମ୍ପୂର୍ଣ୍ଣ ଚାର୍ଜ ହୋଇଥିବା ଏକ ଲାପ୍‌ଟପ୍‌ କମ୍ପ୍ୟୁଟର୍‌କୁ ଗୋଟାଏ ସୁଟ୍‌କେସ୍‌ ମଧ୍ୟରେ ଭରି ‘ଏଫ୍‌ଏଏ’ର ଅଗ୍ନି ନିରାପତ୍ତା ଶାଖା ୧୦ ଥର ପରୀକ୍ଷା କରିଛି। ଥର୍ମାଲ୍‌ ରନ୍‌େଓ୍ଵରେ ଚାଲିବାକୁ ଲ୍ୟାପ୍‌ଟପ୍‌ର ଲିଥିୟମ୍‌ ଆୟନ୍‌ ବ୍ୟାଟେରି ନିକଟରେ ଏକ ହିଟର୍‌ ରଖାଯାଇଥିଲା। ତା’ର ଫଳାଫଳ ଥିଲା ଏମିତି: ଯଦି ଏକ ଧୂଅାଁଭରା କ୍ୟାନ୍‌ ସହ ଏକ ସୁଟ୍‌କେସ୍‌ର ‘ପିଇଡି’ ରଖାଯାଇ ଥର୍ମାଲ୍‌ ରନ୍‌େଓ୍ଵ ସଙ୍ଗଠିତ କରାଯାଏ ତେବେ ଧୂଅାଁଭରା କ୍ୟାନ୍‌ଟି ଫାଟି ଯିବାର ବିଶେଷ ସମ୍ଭାବନା ରହିଛି। ବେଳେବେଳେ ବିମାନରେ ଥିବା ଅଗ୍ନିନିର୍ବାପକ ସାଧନ କାମ ଦିଏ ନାହିଁ। ସେତେବେଳେ ଏହି ବିସ୍ଫୋରଣ ଯୋଗୁଁ ବିମାନଟି ନଷ୍ଟ ହୋଇଯିବାର ଆଶଙ୍କା ଉପୁଜେ ବୋଲି ଅନ୍ୟତମ ୟୁଏନ୍‌ ଏଜେନ୍‌ସି ଆଇସିଏଓର ପେପର୍‌ ଉଲ୍ଲେଖ କରିଛି। କ୍ୟାବିନ୍‌ କ୍ରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିଲେ ପାସେଞ୍ଜର୍‌ କ୍ୟାବିନ୍‌ରେ ‘ପିଇଡି’ ରହିଲେ କିଛି ଯାଏ ଆସେ ନାହିଁ। ସମ୍ପ୍ରତି ଅଧିକାଂଶ ଯାତ୍ରୀଙ୍କର ସେଲ୍‌ଫୋନ୍‌, ଟାବ୍‌ଲେଟ୍‌ ଏବଂ ଲାପ୍‌ଟପ୍‌ ଆଦି ‘ପିଇଡି’ଗୁଡ଼ିକୁ ଚେକ୍‌-ଇନ୍‌ ବ୍ୟାଗ୍‌ରେ ନେବା ପାଇଁ ଅନୁମତି ଦିଆଯାଉଛି।

ସମ୍ବନ୍ଧିତ ଖବର