ଓଡ଼ିଶା ପାଲଟିଛି ଆତଙ୍କବାଦୀଙ୍କ ଆଡ୍ଡା : ଏନ୍‌ଆଇଏ ହାତରେ ଗିରଫ ଲସ୍କର-ଇ-ତୈବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହବିବୁର ରହେମାନ୍‌ର ଘର ଓଡ଼ିଶାର କେନ୍ଦ୍ରାପଡ଼ାରେ

0 897

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏନ୍‌ଆଇଏ ହାତରେ ଗିରଫ ହୋଇଥିବା କୁଖ୍ୟାତ ଆତଙ୍କବାଦୀ ହବିବୁର ରହେମାନ ଓଡ଼ିଶାର ଯୁବକ ବୋଲି ଜଣାପଡ଼ିବା ପରେ ଏବେ ଓଡ଼ିଶା ପୁଲିସ୍‌ ପକ୍ଷରୁ ବ୍ୟାପକ ତନାଘନା ପ୍ରକାଶ ପାଇଛି। ଏନ୍‌ଆଇଏ ଗିରଫ କରିଥିବା ଆତଙ୍କବାଦୀ ହବିବୁର ରହେମାନର ଘର ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଏବଂ ସେ ଗତ ଦୀର୍ଘ ବର୍ଷ ଧରି ରିଆଦରେ ରହୁଥିବା ତଦନ୍ତକାରୀ ସଂସ୍ଥା ସୂତ୍ରରୁ ଜାଣିବାକୁ ମିଳିଛି। ତେବେ, ଅବଦୁର ରହେମାନକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିବା ଏନ୍‌ଆଇଏ ତାକୁ ରିମାଣ୍ଡରେ ନେବା ପରେ ତା’ଠାରୁ ଆହୁରି ଅଧିକ ତଥ୍ୟ ଓଗାଳିବା ପାଇଁ ଲକ୍ଷ୍ୟ ରଖିଛି।

ତେବେ, କୁଖ୍ୟାତ ଆତଙ୍କବାଦୀ ଅବଦୁର ରହେମାନକୁ ଏନ୍‌ଆଇଏ ଗିରଫ କରିବା ପରେ ଓଡ଼ିଶା ସହ ଅନ୍ତର୍ଜାତିକ ଆତଙ୍କବାଦୀ ସଂଗଠନ ଗୁଡ଼ିକର ବେଶ୍‌ ଘନିଷ୍ଠ ସଂପର୍କ ରହିଥିବା ଆଉଥରେ ପ୍ରମାଣିତ ହୋଇଯାଇଛି। କାରଣ, ଗିରଫ ହବିବୁର ରହେମାନ ଲସ୍କର-ଇ- ତଇବାର ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ। ଏହାପୂର୍ବରୁ ପାକିସ୍ତାନୀ ଆତଙ୍କବାଦୀ ମାନଙ୍କ ସହିତ ସଂପୃକ୍ତ ଥିବା ଅଭିଯୋଗରେ କଟକ ଜଗତପୁର ଅଞ୍ଚଳର ଅବଦୁଲ ରହେମାନ ନାମକ ଅନ୍ୟଜଣେ ଯୁବକକୁ କିଛି ବର୍ଷ ପୂର୍ବେ ଏନ୍‌ଆଇଏ ଅଧିକାରୀମାନେ ଗିରଫ କରିଥିଲେ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ନ୍ୟାସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି (ଏନ୍‌ଆଇଏ)ର ଅଧିକାରୀମାନେ ଆଜି (ସୋମବାର) ଅପରାହ୍ଣରେ ନୂଆଦିଲ୍ଲୀର ଇନ୍ଦରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆତଙ୍କବାଦୀ ସଂଗଠନ ଲସ୍କର-ଇ- ତଇବାର ଆତଙ୍କବାଦୀ ହବିବୁର ରହେମାନକୁ ଗିରଫ କରିଥିଲେ। କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ- ତଇବାର ପ୍ରତିଷ୍ଠାତା ତଥା ୨୦୦୮ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ହାଫିଜ୍‌ ସୟିଦ୍‌ର ଘନିଷ୍ଠ ସହଯୋଗୀ ତଥା ଡାହାଣ ହାତ ହେଉଛି ହବିବୁର ରହେମାନ୍‌। ହବିବୁର ଲସ୍କର-ଇ- ତଇବାର ଆତଙ୍କବାଦୀ କମାଣ୍ଡର ମାନଙ୍କୁ ଭାରତରେ ଆତଙ୍କୀ ହାମ୍‌ଲା କରିବା ପାଇଁ ପାକିସ୍ତାନ ଓ ବାଂଲାଦେଶ ସୀମାନ୍ତ ଦେଇ ଭାରତ ମଧ୍ୟକୁ ପଠାଇଥାଏ। ଏପରିସ୍ଥିତରେ ଦିଲ୍ଲୀ ଇନ୍ଦରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦରରୁ ହବିବୁରକୁ ଏନ୍‌ଆଇଏ ଅଧିକାରୀମାନେ ଗିରଫ କରିବା ପରେ ଦେଶ ମଧ୍ୟରେ ଏବେ ଆଉ କିଛି ଆତଙ୍କବାଦୀ ଆତ୍ମଗୋପନ କରି ରହିଥିବା ସନ୍ଦେହ କରୁଛନ୍ତି ଦେଶର ସୁରକ୍ଷା ଏଜେନ୍ସି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏଥରକ ସ୍ୱାଧୀନତା ଦିବସ ସମୟରେ ରାଜଧାନୀ ନୂଆଦିଲ୍ଲୀ ଠାରୁ ଆରମ୍ଭ କରି ସୀମାନ୍ତର ସେନା କ୍ୟାମ୍ପ ଉପରେ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନଗୁଡ଼ିକ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଆତଙ୍କବାଦୀ ମାନଙ୍କର ସାଟେଲାଇଟ୍‌ ଫୋନ୍‌ରେ ହେଉଥିବା ବାର୍ତ୍ତାଳାପକୁ ଟ୍ରାକ୍‌ କରି ଭାରତୀୟ ଗୁଇନ୍ଦା ବିଭାଗ ସତର୍କ ସୂଚନା ଜାରି କରିଥିଲା। ତେବେ, ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସତର୍କ ସୂଚନା ମିଳିବା ପରେ ପରେ ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କବାଦୀ ହାମ୍‌ଲା କରିବା ଲକ୍ଷ୍ୟରେ ଦିଲ୍ଲୀ ଅଭିମୁଖେ ଆସୁଥିବା ଏକ କୁଖ୍ୟାତ ଆତଙ୍କବାଦୀ ଅରଫାନ୍‌ ଓ୍ଵାନିକୁ ଜମ୍ମୁ- କଶ୍ମୀର ପୁଲିସ୍‌ ଗତକାଲି (ରବିବାର) ଶ୍ରୀନଗରରୁ ରବିବାର ଗିରଫ କରିବା ସହ ତା’ ନିକଟରୁ ୮ଟି ଜୀବନ୍ତ ଗ୍ରେନେଡ୍‌ ଜବତ କରଥିଲା। ଅରଫାନ୍‌ ଓ୍ଵାନିର ଗିରଫଦାରିକୁ ୨୪ ଘଣ୍ଟା ନପୂରୁଣୁ ଏନ୍‌ଆଇଏ ଅଧିକାରୀମାନେ ଆଜି ଅପରାହ୍ଣରେ ନୂଆଦିଲ୍ଲୀର ଇନ୍ଦରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ- ତଇବାର ପ୍ରତିଷ୍ଠାତା ତଥା ୨୦୦୮ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ହାଫିଜ୍‌ ସୟିଦ୍‌ର ଘନିଷ୍ଠ ସହଯୋଗୀ ତଥା ଡାହାଣ ହାତ ହବିବୁର ରହେମାନ୍‌କୁ ଗିରଫ କରିବା ପରେ ଏବେ ସୁରକ୍ଷା କର୍ମୀଙ୍କ ଆଖିରୁ ନିଦ ହଜି ଯାଇଛି ଏବଂ ଓଡ଼ିଶା ପୁଲିସ୍‌ର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.