ଜମ୍ମୁ-କଶ୍ମୀର: ମସଜିଦ୍ ମଧ୍ୟରେ ପଶି ଭାରତ ବିରୋଧୀ ନାରା ଦେବା ସହ ଉତ୍ପାତ କଲେ ୨ ଲସ୍କର ଆତଙ୍କବାଦୀ
ନୂଆଦିଲ୍ଲୀ: ଦେଶର ନୂତନ ସ୍ୱରାଷ୍ଟ୍ର ମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କଲା ପରେ ଅମିତ୍ ଶାହା ଜମ୍ମୁ- କଶ୍ମୀରରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଆଜି ଶୁକ୍ରବାର ନମାଜ କାଳରେ ଲସ୍କର-ଇ- ତୋଏବାର ଦୁଇ ଆତଙ୍କବାଦୀ ଜମ୍ମୁ- କଶ୍ମୀର ଏକ ମସ୍ଜିଦ୍ ମଧ୍ୟରେ ପଶି ଧମକଚମକ୍ ଦେବା ଘଟଣା ଏବେ ସମଗ୍ର ଜମ୍ମୁ- କଶ୍ମୀରରେ ଆଲୋଡ଼ନ ସୃଷ୍ଟି କରିଛି। ଅପରପକ୍ଷରେ ଏହି ପୂରା ଘଟଣାକ୍ରମର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଜମ୍ମୁ- କଶ୍ମୀର ଏକ ମସ୍ଜିଦ୍ରେ ଆଜି ମଧ୍ୟାହ୍ନରେ ଶୁକ୍ରବାର ନମାଜ ପାଠ ଚାଲିଥିବା କାଳରେ ଲସ୍କର-ଇ- ତୋଏବାର ଦୁଇ ଆତଙ୍କବାଦୀ ମୁହଁରେ ମୁଖା ପିନ୍ଧି ହାତରେ ରିଭଲଭର ଧରି ମସଜିଦ୍ ମଧ୍ୟକୁ ପଶି ଯାଇଥିଲେ। ପରେ ସେମାନେ ମସଜିଦ୍ ଭିତରେ ‘ଆଜାଦ୍ କଶ୍ମୀର’ ନାରା ଲଗାଇବା ସହ ଭାରତ ବିରୋଧୀ ସ୍ଲୋଗାନ୍ ଦେଇଥିଲେ। ପରେ, ସେମାନେ ସଂଗଠନର ଆର୍ଥିକ ସ୍ଥିତି ଖରାପ ଥିବା କହି ମସଜିଦ୍ରେ ଉପସ୍ଥିତ ଜନତାଙ୍କୁ ରିଭଲଭର ସାହାଯ୍ୟରେ ଭୟଭୀତ କରାଇ ସେମାନଙ୍କ ଠାରୁ ଅର୍ଥ ଆଦାୟ କରିଥିଲେ।